ସାନଖେମୁଣ୍ଡି ବ୍ଲକରେ କୋଟିପତି ଅଙ୍ଗନୱାଡି ଦିଦିଙ୍କ ଠିକାଦାର ମୋହ ତୁଟୁନି !

0 744

ଦିଗପହଣ୍ଡି ,୦୮/୦୬,ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତ ବ୍ଲକ ସଦର ଗ୍ରାମ ମହାନଳାରେ କାର୍ଯ୍ୟ କରୁଥିବା ଦୁଇ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଥିଲାବେଳେ ସମ୍ପ୍ରତି କେନ୍ଦ୍ର-୨ କର୍ମୀ ଭାବେ ନିୟୋଜିତ ଥିବା ନୂତନ କର୍ମୀଙ୍କ କ୍ରିୟାକଳାପ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଅଛି । ନିର୍ଦ୍ଧିଷ୍ଟ କର୍ମୀ ଅଙ୍ଗନୱାଡ଼ି କର୍ମୀ ପଦରେ ନିୟୋଜିତ ଥାଇ ଇଞ୍ଜିନିୟର ଡିପ୍ଲୋମା ଯୋଗ୍ୟତା ଆଧାରରେ ବି କ୍ଲାସ୍ ଠିକାଦାର ଲାଇସେନ୍ସ କରି ୨୦୧୭ -୧୮ ଆର୍ଥିକ ବର୍ଷରେ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ଡିଭିଜନ-୧ର ଦିଗପହଣ୍ଡି ଉପ ବିଭାଜନ ଅନ୍ତର୍ଗତ ପାଟପୁର ସେକ୍ସନର ରଘୁନାଥପୁର, ପାଲାସ ପୁର ଏବଂ କଲରାପଦର ଏମ୍ଆଇପିର ତିନିଗୋଟି ଟେଣ୍ଡର ଯଥାକ୍ରମେ ନଂ୧୧୦ରେ ୪୮,୩୭,୪୦୦/- ଟଙ୍କା, ନଂ ୧୦୯ରେ ୪୬,୧୩,୫୦୦/- ଟଙ୍କା ଏବଂ ନଂ୧୦୮ରେ ୨୨,୩୦,୭୦୦/-ଟଙ୍କା ସରକାରୀ କାମର କାର୍ଯ୍ୟ ନିର୍ବାହ କେମିତି କରିଲେ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଅଛି । ଵିଗତ ଦିନରେ ଏହି ତଥ୍ୟକୁ ଆଧାର କରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ବୁଦ୍ଧିଜୀବୀ ସ୍ତରରେ ହଇ ଚଇ ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ବିହିତ ତଦନ୍ତ ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶ କ୍ରମରେ ଜନୈକ ଅଧିକାରୀଙ୍କୁ ଦିଆଯାଇଥିଲେ ମଧ୍ୟ ତତ୍କାଳୀନ ସାନଖେମୁଣ୍ଡି ସିଡିପିଓଙ୍କ  ମିଛ ରିପୋର୍ଟ ଆଧାରରେ କୌଣସି ପଦକ୍ଷେପ ନିଆଯାଇ ନଥିବା ସାଧାରଣରେ ଆଲୋଚିତ ହେଉଥିଲା । ଅନ୍ୟ ଅନୁସନ୍ଧାନ ତଥ୍ୟ ପ୍ରକାରେ ୨୦୦୩ ମସିହାରେ ପ୍ରଥମେ ମହାନଳା ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ପଦବୀ ପାଇଁ ବିଜ୍ଞାପନ ପ୍ରକାରେ କର୍ମୀ ନିୟୋଜିତ ହୋଇଛନ୍ତି । ପରନ୍ତୁ ୨୦୦୯ ମସିହାରେ ଗ୍ରାମରେ ଦ୍ଵିତୀୟ କେନ୍ଦ୍ର ପାଇଁ କର୍ମୀ ନିୟୋଜିତ ହୋଇଥିଲେ । ସଂପୃକ୍ତ କର୍ମୀ ଭଡ଼ା ଘରେ କେନ୍ଦ୍ର ପରିଚାଳନା କରୁଥିଲେ । ବ୍ଲକ ତାଲିମ ଓ ଉତ୍ପାଦନ କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖ ଆଠ ଫୁଟ ଦୂରରେ କେନ୍ଦ୍ର କୋଠା କରାଯାଇ କେନ୍ଦ୍ର-୧ ପାଇଁ ଉଦ୍ଧିଷ୍ଟ କରାଗଲା । ୨୦୧୨-୧୩ ଆର୍ଥିକ ବର୍ଷର କାର୍ଯ୍ୟାଦେଶ ଅନୁସାରେ କାର୍ଯ୍ୟକୁ ୨୦୧୫ରେ ସମାପନ କରି କେନ୍ଦ୍ର -୧ କର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ହସ୍ତାନ୍ତର କରାଗଲା । ମହାନଳା କେନ୍ଦ୍ର -୧ ସରକାରୀ କୋଠାରେ ଚାଲିଥିବା ବେଳେ କେନ୍ଦ୍ର – ୨ କର୍ମୀ ନିଜ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ ।୨୦୧୬ ମସିହାରେ ଖାଲି ଥିବା ଏହି ପଦବୀ ପାଇଁ ବିଜ୍ଞାପନ ଦ୍ଵାରା ନିୟୋଜିତ ହୋଇଥିବା ନୂଆଁ କର୍ମୀ ଜଣେ ଇଞ୍ଜିନିୟର ଡିପ୍ଲୋମା ହୋଇଥିବାରୁ ସେହି ସମୟରେ ବହୁ ବିବାଦ ସୃଷ୍ଟି ହୋଇଥିଲା । ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ କର୍ମୀଙ୍କୁ ନିୟୋଜିତ କରିବାକୁ ସେହି ସମୟରେ ସବୁ ନିୟମକୁ ଉଲଙ୍ଘନ କରାଯାଇଥିଲା । ନିୟୋଜିତ ପରେ କର୍ମୀ ନିୟମିତ କାମ କରୁନଥିଲେ ମଧ୍ୟ ସୁହାଇଲା ଭଳି ସୁପରଭାଇଜର୍ ଉକ୍ତ ସେକ୍ଟର ପାଇଁ ଯୋଗାଡ଼ କରି କାର୍ଯ୍ୟାଳୟ କର୍ମୀଙ୍କୁ ଭରସା ଦେଉଥିବା ବେଳେ ବର୍ତ୍ତମାନର ସେବା ଅଞ୍ଚଳ ଭାବେ କେନ୍ଦ୍ର -୧ କୋଠାକୁ ମିଛ ଅଭିଯୋଗ ଭିତ୍ତିରେ କେନ୍ଦ୍ର -୨ କର୍ମୀଙ୍କୁ ଦେଇଛନ୍ତି । ଏଠି ବହୁ ଅନିୟମିତତା ହୋଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ବିଭାଗ ସିଡିପିଓଙ୍କ ମିଛ ରିପୋର୍ଟ ଭିତ୍ତିରେ  ଠିକାଦାର ଅଙ୍ଗନୱାଡ଼ି କର୍ମୀଙ୍କୁ ସହାୟତା ପାଇଁ ପ୍ରଥମ କର୍ମୀଙ୍କୁ ଅତ୍ୟାଚାର କରିବା ସହିତ କାର୍ଯ୍ୟାନ୍ତର କରାଇଥିବା ଅଭିଯୋଗ ହୋଇଛି । ଏହାସହ ବ୍ଲକ ସଦର ମହକୁମାରେ ଥିବା ଦୁଇ କେନ୍ଦ୍ର ପରିଚାଳନାଗତ ପ୍ରଶାସନିକ ବିଭ୍ରାଟ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ଦିହାନ ଥିବା ବେଳେ ଅଙ୍ଗନୱାଡ଼ି କର୍ମୀ କିପରି ବି କ୍ଲାସ୍ ଠିକାଦାର ହୋଇପାରିଲା, ଠିକାଦାର ଥାଇ କେମିତି କେନ୍ଦ୍ର କାର୍ଯ୍ୟ କଲା, କର୍ମୀ ହିସାବରେ ବିଭାଗରୁ ଠିକାଦାର ହେବାକୁ ତାଙ୍କୁ କିଏ ଅନୁମତି ଦେଇଥିଲା, ପୁଣି କେନ୍ଦ୍ର କୋଠା ପରିବର୍ତ୍ତନ କେମିତି କରାଗଲା ଆଦିକୁ ନେଇ ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ କରି ପୁନଃ ତଦନ୍ତ କରିବାକୁ ସାଧାରଣରେ ଦାବି କରାଯାଇଛି ।
ଦିଗପହଣ୍ଡି: (ସାଇଦୀପ ପୂଜାରୀ)

Leave A Reply

Your email address will not be published.