ଯାଜପୁର ଜିଲ୍ଲାରେ ସର୍ପାଘାତ ୭ ବର୍ଷରେ ଗଲାଣି ୨୨୨ ଜଣଙ୍କ ପ୍ରାଣ ।

0 375

ଯାଜପୁର,୧୧/୦୭(ପିପିଟି) : ଯାଜପୁର ଏକ ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ହୋଇଥିବା ବେଳେ ସର୍ପାଘାତ ଜିଲ୍ଲାବାସୀଙ୍କ ପାଇଁ ବିପଦ ଆଣୁଛି। ଜିଲ୍ଲାର ଚତୁଃପାର୍ଶ୍ବରେ ନଦୀନାଳ ଘେରା ହୋଇଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟ ରହିଛି। ଫଳରେ ପ୍ରତିବର୍ଷ ଜିଲ୍ଲାରେ ସାପ କାମୁଡା ଯୋଗୁ ଅନେକ ଲୋକଙ୍କ ଜୀବନ ଯାଉଛି। ଯାହାକି ଝଡାଫୁଙ୍କାର ଅନ୍ଧବିଶ୍ବାସ ଓ ରୋଗୀ ସେବାକୁ ଗୁରୁତ୍ବ ଦିଆଯାଉନଥିବାରୁ ଅନେକଙ୍କ ଜୀବନ ଯାଉଛି । ଯାଜପୁର ଜିଲ୍ଲା ବଣପାହାଡ଼ ଘେରା ହୋଇଥିବା ବେଳେ ସବୁ ବେଳେ ସର୍ପଘାତର ଭୟ ରହିଛି। ଦଶରଥପୁର, ଯାଜପୁର,ବରୀ,ବିଂଝାରପୁର ବ୍ଲକର ଅଧିକାଂଶ ଅଞ୍ଚଳ ନଦୀ ସଂଲଗ୍ନ ହୋଇଥିବା ବେଳେ ସୁକିନ୍ଦା,ଦାନଗଦି, ବଡଚଣା ଓ ଧର୍ମଶାଳା ଜଙ୍ଗଲ ପାହାଡ ଘେରା ମଧ୍ୟରେ ରହିଛି। ତେଣୁ ସବୁ ବେଳେ ଜିଲ୍ଲାରେ ସାପ ଭୟ ରହୁଛି। ବିଭିନ୍ନ ସମୟରେ ବିଷଧର ସାପଙ୍କୁ ଉଦ୍ଧାର କରାଯାଉଥିବା ଖବର ଆସୁଥିବା ବେଳେ ଅନେକ ସମୟରେ ସାପ ଦଂଶନରେ ଅକାଳରେ ଲୋକଙ୍କ ଜୀବନ ଯାଉଛି। ଆଜି ବି ଲୋକମାନେ ଅନ୍ଧ ବିଶ୍ବାସକୁ ମାନି ଝଡାଫୁଙ୍କାକୁ ବିଶ୍ବାସ କରୁଥିବା ବେଳେ ଡାକ୍ତରଖାନା ଆଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏପରିକି ଲୋକ ଗୁରୁତର ହେଲେ ଡାକ୍ତରଖାନା ଆଣିଲା ବେଳକୁ ବାଟରେ ଚାଲିଯାଉଛି ଜୀବନ। ଯାହାକି ମୃତକଙ୍କ ସଂପର୍କୀୟ ଡାକ୍ତରଖାନା ଓ ଡାକ୍ତରଙ୍କ ଅବହେଳା ଉପରେ ପ୍ରଶ୍ନ ଉଠାଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସର୍ପାଘାତ ଔଷଧ ରହିଥିବା ବେଳେ ଜିଲ୍ଲାରେ ବର୍ଷକୁ ପାଖାପାଖି ୫ ହଜାର ଇଂଜେକସନ୍ ଆବଶ୍ୟକତା ରହିଥାଏ ଓ ଯୋଗାଣ ମଧ୍ୟ ହୋଇଥାଏ। ଯାହାକୁ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେଣ୍ଟାର ଷ୍ଟୋରରୁ ସମସ୍ତ ୧୧ ଟି ‌ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥାଏ। ପ୍ରତି କେନ୍ଦ୍ରରେ ୨୦ଟି ଇଂନଜେକସନ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ସେଥିରୁ କମିଲେ ସେଣ୍ଟାଲ୍ ଷ୍ଟୋରକୁ ଜଣାଇବାକୁ କୁହାଯାଇଛି। ତେବେ ଜିଲ୍ଲାର ବରୀ ଓ ବଡଚଣାରେ ଅଧିକ ସାପ କାମୁଡା ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ବର୍ଷା ଦିନେ ସାପ କାମୁଡା ରୋଗୀଙ୍କ ସଂଖ୍ୟା ଅଧିକା ରହିଥାଏ। ୭ ବର୍ଷରେ ସାପ କାମୁଡାରେ ୨୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷକୁ ହାରାହାରି ୩ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସର୍ପ ଦର୍ଶନ କରୁଛି। ୨୦୧୪ ମସିହାରେ ଜଣେ ଲୋକ ସାପ କାମୁଡାରେ ମୃତ୍ୟୁବରଣ କରିଥିବା ବେଳେ ୨୦୧୫ରେ ୧୦,୨୦୧୬ରେ ୩୦ ଜଣ, ୨୦୧୭ରେ ୪୫,୨୦୧୮ ରେ ୪୦ ଜଣ, ୨୦୧୯ରେ ୪୧ ଜଣ,୨୦୨୦ରେ ୪୬ ଜଣ ଓ ୨୦୨୧ର ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଜରୁରୀ କାଳୀନ ବିଭାଗର ରିପୋର୍ଟରେ ଦର୍ଶାଯାଇଛି। ତେବେ ଅନେକ‌ ଲୋକ ସର୍ପ ଦଂଶନ କଲେ ସ୍ବାସ୍ଥ୍ୟ ବିଭାଗର କଟକଣା ମାନି ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଉଥିବାରୁ ‌ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ବଞ୍ଚିଯାଉଛି। ଯଦିଓ ସର୍ପ ଦଂଶନରେ ମୃତ୍ୟୁ ବରଣ କରୁଥିବା ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ତଥାପି ସଚେତନ ରହିଲେ ବହୁ ମାତ୍ରାରେ ସାପ କାମୁଡା ସଂଖ୍ୟା କମାଇ ଦିଆଯାଇପାରିବ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ। )

Leave A Reply

Your email address will not be published.