ଯନ୍ତ୍ରୀଙ୍କ ନୀରବତା ପିଏମଜିଏସୱାଇ ନିମ୍ନ ମାନର କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି ।

0 1,758

କୋଦଳା,(ପିପିଟି)୧୩/୦୫ ,ଗଞ୍ଜାମ ଜିଲ୍ଲାର କୋଦଳା ଠାରୁ ଭାୟା ମର୍ଦ୍ଦମେଖ,ଚଢେୟାପଡା – ମର୍ଦ୍ଦକୋଟ ପିଏମଜିଏସୱାଇ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଫରୱାର୍ଡ ବ୍ଲକ୍ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଛି ।ଉକ୍ତ କାର୍ଯ୍ୟ ସଂପର୍କରେ ସମରଜିତ୍ ମହାନ୍ତି ସୂଚନା ତଥ୍ୟ ମାଗିଛନ୍ତି ।ସୂଚନା ତଥ୍ୟ ଚିଠି No.2210/RWD-1/BAM/Dated.16/03/2020 ଅନୁଯାୟୀ ଜଣାପଡିଛି ଉକ୍ତ ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଟ୍ ଅନୁଯାୟୀ ୨,୨୫,୫୮,୫୫୮.୦୦ ଟଙ୍କା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୯,୫୪,୯୨୨.୦୦ ଟଙ୍କା ସହିତ ମୋଟ ଅଟକଳ ହେଉଛି ୨,୪୫,୧୩,୪୮୦.୦୦ ଟଙ୍କା ।ଟେଣ୍ଡର ଏଗ୍ରୀମେଣ୍ଟ ଅନୁଯାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୨,୧୫,୯୯,୮୧୯.୦୦ ଟଙ୍କା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୯,୫୪,୯୨୨.୦୦ ଟଙ୍କା ସହିତ ମୋଟ ୨,୩୫,୫୪,୭୪୧.୦୦ ଟଙ୍କା କାର୍ଯ୍ୟ କରିବା ପାଇଁ ଠିକାଦାର ଚରଣ ବେହେରା ନେଇଛନ୍ତି । କାର୍ଯ୍ୟ ଆରମ୍ଭରୁ ହିଁ ନିମ୍ନ ମାନର କାର୍ଯ୍ୟ ସଂପର୍କରେ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ମତେ କାର୍ଯ୍ୟର ତଦାରଖ କରିବା ପରିବର୍ତ୍ତେ ନୀରବ ରହିବା ଦ୍ବାରା ନିମ୍ନ ମାନର କାର୍ଯ୍ୟକୁ ପରୋକ୍ଷରେ ପ୍ରୋତ୍ସାହିତ କଲାଭଳି ସ୍ଥିତିରୁ ଅନୁମାନ କରାଯାଉଛି । ଠିକାଦାର ଏଗ୍ରୀମେଣ୍ଟ ଓ ଏଷ୍ଟିମେଟ୍ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିନାହାଁନ୍ତି । ମନଇଛା କାର୍ଯ୍ୟ କରିବା ସହ ଅଧିକାଂଶ ସମୟରେ ଯନ୍ତ୍ରୀଙ୍କ ଅନୁପସ୍ଥିତ ମଧ୍ୟ କାର୍ଯ୍ୟଶୈଳୀ ପ୍ରତି ସନ୍ଦେହ ସୃଷ୍ଟି କରିଛି । କାର୍ଯ୍ୟ ଆରମ୍ଭରୁ ଏହି ଘଟଣା ସଂପର୍କରେ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ସୋସିଆଲ୍ ମିଡିଆରେ ଦୁଇଥର ପୋଷ୍ଟ କରିଛନ୍ତି ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ମଧ୍ୟ ଅବଗତ କରାଇଛନ୍ତି ।ତଥାପି କାର୍ଯ୍ୟର ଗୁଣବତ୍ତା ପ୍ରତି କାହିଁକି ଦୃଷ୍ଟି ଦିଆଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଗଞ୍ଜାମ ଜିଲ୍ଲାର ଆରଡି ଡିଭିଜନ ୧ ବ୍ରହ୍ମପୁର ଅଧିନରେ ବିଭିନ୍ନ ସମୟରେ ଟେଣ୍ଡର ଫିକ୍ସିଂ କୁ ନେଇ ଗଣମାଧ୍ୟମରେ ପ୍ରକାଶିତ ହେବା ସହିତ ପ୍ରାୟ ୧୨ ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।ତଥାପି ଯନ୍ତ୍ରୀ ମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସୁରକ୍ଷା ଦେଇଆସୁଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୁର୍ନୀତିର ଜାଲ ଘେରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଛ ଭାବମୂର୍ତ୍ତି ଓ 5T କୁ ମଧ୍ୟ ଯନ୍ତ୍ରୀମାନଙ୍କ ଭୟ ନାହିଁ କି ସମ୍ମାନ ମଧ୍ୟ ନାହିଁ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କହୁଛନ୍ତି ଅଭିଯୋଗ ଆସିଲେ ତଦନ୍ତ ହେବ କିନ୍ତୁ ସେହି ଭଳି ଗଞ୍ଜାମ ଜିଲ୍ଲାରେ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି ।ବ୍ରହ୍ମପୁର ଭିଜିଲାନ୍ସ ରେ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲେ ମଧ୍ୟ କରିତ୍‌କର୍ମା ଏସପି ଦୁର୍ନୀତିକୁ ସରଳୀକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।ଭିଜିଲାନ୍ସ ରେ ଅଭିଯୋଗ ହେବାକ୍ଷଣି ଅଭିଯୁକ୍ତ ସହିତ ଜନୈକ ଡିଏସପି ସମଝତା ଆରମ୍ଭ କରୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ଏସପିଙ୍କ ଜ୍ଞାତସାରରେ ସମଝତା ହେଉଥିବା ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି  । ଶ୍ରୀ ମହାନ୍ତି ଗଞ୍ଜାମ ଭିଜିଲାନ୍ସ ଉପରେ ପ୍ରଶ୍ନ ଉଠାଇଛନ୍ତି ।ସେ କହିଛନ୍ତି ଗତ ତିନି ବର୍ଷ ମଧ୍ୟରେ ଦୁର୍ନୀତି ବିରୁଦ୍ଧରେ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିକଟରେ କେତେ ଅଭିଯୋଗ ହୋଇଛି ଏବଂ କେତେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ ତଦନ୍ତ ଆଳରେ କେତେ ଫାଇଲ୍ ବନ୍ଧା ହୋଇ ରହିଛି ତାହା ସ୍ପଷ୍ଟ ହେବ ଆବଶ୍ୟକ । କୋଦଳା ପିଏମଜିଏସୱାଇ କାର୍ଯ୍ୟ ନିମ୍ନ ମାନର ଥିବା ସ୍ବତ୍ତେ ୨୭ ଲକ୍ଷରୁ ଉର୍ଦ୍ଧ୍ବ ବିଲ୍ କରାଯାଇଥିବା ଶୁଣାଯାଉଛି ।ବିଭାଗୀୟ ଅଣଦେଖା ପାଇଁ ଆବଶ୍ୟକ ସ୍ଥଳେ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.