ମାଲକାନଗିରି କଂଗ୍ରେସର ନବକଳେବର ପାଇଁ ପ୍ରୟାସ ଜାରି ।

0 322

ମାଲକାନଗିରି,୨୯/୦୯(ପିପିଟି): ମାଲକାନଗିରି ଜିଲ୍ଲାରେ କଂଗ୍ରେସର ସ୍ଥିତି ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି ।ଏହାକୁ ସଜାଡିବା ପାଇଁ କଂଗ୍ରେସର ଟିକେଟରେ ବିଧାୟକ ପଦବୀ ପାଇଁ ଲଢେଇ କରି କରି ପରାସ୍ତ ହେଉଥିବା ବର୍ତ୍ତମାନର କାଲିମେଳା ବ୍ଲକ ଅଧ୍ଯକ୍ଷ ମାଲା ମାଢି ପ୍ରୟାସ ଜାରି ରଖିଥିବା ଜଣା ପଡିଛି । ବହୁ ଦିନର ନିବରତା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମମତା ମାଢିଙ୍କୁ ଦଳ ସ୍ମରଣ କରି ବର୍ତ୍ତମାନ ପିସିସି ସଂପାଦିକା ପଦବୀ ପ୍ରଦାନ କରିଛି । ସୁପ୍ତ ରହଥିବା ଦଳ ପୁନଶ୍ଚ ଜାଗ୍ରତ ହୋଇ କାର୍ଯ୍ଯକ୍ଷମ ହେବ ବୋଲି ମାଲକାନଗିରି କଂଗ୍ରେସ କର୍ମୀ ମହଲରେ ଆଶା ସଞ୍ଚାର ହେଉଛି । ଅନ୍ଯପକ୍ଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝି କଂଗ୍ରେସ ଦଳ ତ୍ଯାଗ କରି ବିଜେଡିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ମାଲକାନଗିରି ଜିଲ୍ଲା କଂଗ୍ରେସର ଚାଣକ୍ଯ ତଥା କାର୍ଯ୍ଯକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ଇତି ମଧ୍ଯରେ ଦଳରୁ ଇସ୍ତଫା ଦେଇ ସାରିଛନ୍ତି । ଫଳରେ କଂଗ୍ରେସର ସ୍ଥିତି କ୍ରମଶଃ ଦୁର୍ବଳ ଆଡକୁ ଗତି କରୁଛି । ପୂର୍ବତନ ସାଂସଦ ପ୍ରଦୀପ ମାଝି ସର୍ବ ସାଧାରଣରେ ବିଧି ବଦ୍ଧ ଭାବରେ ଯେଉଁ ଦିନ ବିଜେଡିରେ ମିଶ୍ରଣ ହେବେ, ସେହି ଦିନ ବହୁ କଂଗ୍ରେସର କର୍ମୀ ଏବଂ ଟାଣୁଆ ନେତାମାନେ ମଧ୍ଯ ଶଙ୍ଖକୁ ଆପଣେଇ ନେବେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଅକ୍ଟୋବର ୪ ତାରିଖ ଦିନ ବିଜେଡିର ମିଶ୍ରଣ ପର୍ବ ନବରଙ୍ଗପୁରରେ ହେବାକୁ ଯାଉଥିବା ଶୁଣା ଯାଉଛି । ଏହି ମିଶ୍ରଣ ପର୍ବରେ ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେବାର କୁହାଯାଇଛି । ବର୍ତ୍ତମାନ ମାଲକାନଗିରି କଂଗ୍ରେସ ଦଳରେ ବହୁ ପଦବୀ ଖାଲି ପଡୁଥିବାରୁ ସେଗୁଡିକ ପୂରଣ ଲାଗି ଟାଣୁଆ କର୍ମୀ ଏବଂ ନେତାଙ୍କୁ ଖୋଜା ପଡୁଛି । କଂଗ୍ରେସରେ ପୂର୍ବରୁ କାର୍ଯ୍ଯ କରୁଥିବା କିଛି ଟାଣଆ ନେତାଙ୍କୁ କଂଗ୍ରେସ ଦଳରେ ସାମିଲ କରିବା ଲାଗି ପ୍ରୟାସ ଜାରି ରହିଥିବା ବିଶ୍ବସ୍ତ ସୂତ୍ରରୁ ଶୁଣିବାକୁ ମିଳୁଛି । ତନ୍ମଧ୍ଯରୁ କିଛି ବ୍ଯକ୍ତି ବିଶେଷଙ୍କ ନାମ ଚର୍ଚ୍ଚାରେ ରହିଛି । ସେମାନେ ହେଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ,ପୂର୍ବତନ ମାଥିଲି ବ୍ଲକ ଅଧ୍ଯକ୍ଷ ସ୍ମୃତି ରଞ୍ଜନ,ସମାଜସେବୀ ସରତ ବୁରୁଦା ଏବଂ କାମରାଜ କୱାସୀ ଆଦି ଟାଣୁଆ ନେତାଙ୍କୁ କଂଗ୍ରେସ ଦଳରେ ସାମିଲ କରିବା ଲାଗି ଗୁପ୍ତ ମନ୍ତ୍ରଣା ଚାଲିଛି । ଆଉ କିଛି ଟାଣୁଆ ନେତାଙ୍କୁ କଂଗ୍ରେସରେ ସାମିଲ କରାଯାଇ କଂଗ୍ରେସର ନବକଳେବର ଗଠନ ହେବ ବୋଲି କୁହାଯାଇଛି । ତେବେ ଆଗାମୀ ଦିନରେ କଂଗ୍ରେସର ରଣ ନୀତିରେ କେତେ ପରିବର୍ତ୍ତନ ହେବ ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.