ମନ ମୋହୁଛି ବଡ଼ କୋଦଣ୍ଡାର ବିଶ୍ୱ ପ୍ରସିଦ୍ଧ ଡେରା ବେଶ ।

0 245

ଭଞ୍ଜନଗର,୧୯/୧୧(ପିପିଟି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭଞ୍ଜନଗର ନିକଟ ଐତିହ୍ୟ,କଳା,ସଂସ୍କୃତି ସମ୍ପନ୍ନ ଗ୍ରାମ ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର କଳାକାରମାନଙ୍କ ଦ୍ବାରା ବାଉଁଶ,ବେତ,ତଥା ହାଲୁକା କାଠରେ ରଙ୍ଗୀନ କପଡା ଓ ବିଭିନ୍ନ ଅଳଙ୍କାରରେ ସଜାଇ ତିଆରି ହୋଇଥିବା ବିଭିନ୍ନ ପଶୁ,ପକ୍ଷୀଙ୍କ ପ୍ରତିରୂପ ସମେତ ଶ୍ରୀରାମ,ଲକ୍ଷ୍ମଣ,ହନୁମାନ, ନବ ଗୁଞ୍ଜର,ବାଘ,ସିଂହ,ବୃଷଭ,ହାତୀ,ମୟୁର,ଛେଳି,କଳଘୋଡୀ ଆଦିଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତୀ ଗୁଡିକୁ ଗ୍ରାମର ବଡଦାଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଗୋପିନାଥ ମନ୍ଦିର ସମ୍ମୁଖ ତଥା ମଧ୍ୟଭାଗରେ ସଜାଇ ରଖାଯିବା ସହ ସର୍ବସାଧାରଣରେ ପ୍ରଦର୍ଶନ କରାଯାଇଥିଲା । ମନ୍ଦିର ମାଳିନୀ ବଡକୋଦଣ୍ଡା ଗ୍ରାମକୁ ଆଖପାଖରୁ ସହସ୍ରାଧିକ ଲୋକ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦର୍ଶନ ନିମନ୍ତେ ଆସୁଥିବାରୁ ସେମାନଙ୍କ ମନୋରଞ୍ଜନ ତଥା କଳାକାରଙ୍କୁ ପ୍ରୋତ୍ସାହିତ କରିବା ସହ କଳାର ପ୍ରଦର୍ଶନ ନିମନ୍ତେ,ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଉଦ୍ଧିଷ୍ଟ ଏହି ଡେରାବେଶ କେଉଁ କାଳରୁ ଅନୁଷ୍ଠିତ ହେଇ ଆସୁଥିବା ଗ୍ରାମବାସୀମାନେ ମତ ପ୍ରକାଶ କରିଥିଲେ । ଏହି ଗ୍ରାମର କିଛି କଳାକାର ଏହି କଳାକୁ ଦେଶ ବିଦେଶରେ ମଧ୍ୟ ପ୍ରଦର୍ଶନ କରି ଆସୁଛନ୍ତି । କିନ୍ତୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି କଳାକାରମାନେ ଉପକୃତ ହେବା ସହ ଏହି କଳାର ବ୍ୟାପକ ପ୍ରଚାର ପ୍ରସାର ସମ୍ଭବପର ହୁଅନ୍ତା ବୋଲି ଆଉ କିଛି କଳାକାର, ବୁଦ୍ଧିଜୀବୀ ପ୍ରମୁଖ ମତ ପ୍ରକାଶ କରିଛନ୍ତି । ପବିତ୍ର କାର୍ତ୍ତିକମାସରେ ଏହି କଳାଗ୍ରାମଟି ଉତ୍ସବ ମୁଖର ହୋଇଉଠେ । ନାମଯଜ୍ଞ ଅନୁଷ୍ଠାନ ହେଉ ହେବା ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ ଏବଂ କାର୍ତ୍ତିକ ପୂର୍ଣ୍ଣିମାର ଡେରାବେଶ ବାସ୍ତବରେ ଏହା କଳା ସଂସ୍କୃତିର ପ୍ରଚାର ପ୍ରସାରର ଶ୍ରେଷ୍ଠ ବାର୍ତ୍ତାବହ ବୋଲି ପରିଦର୍ଶନରେ ଆସିଥିବା ସଂସ୍କୃତି ପ୍ରେମୀ ତଥା ଶିକ୍ଷକ ନେତାଜୀ ବିଷୋୟୀ କୁହନ୍ତି । ଏହି ପବିତ୍ର ଡେରାବେଶ କୁ ଦେଖିବା ପାଇଁ ସୁଦୂର ବୌଦରୁ ଆସିଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଏହି କଳାକୁ ଭୂୟସୀ ପ୍ରଶଂସା କରିବା ସହ ଏହି ଗ୍ରାମରୁ ସେ ସୂତା କଣ୍ଢେଇ ସଂଗ୍ରହ କରି ପିଲାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ସଫଳ ପ୍ରୟୋଗ କରି ଆଦର୍ଶ ଶିକ୍ଷକ ସମ୍ମାନ ରାଷ୍ଟ୍ରପତିଙ୍କ ଠାରୁ ପାଇଥିବା ମତବ୍ୟକ୍ତ କରି ଗ୍ରାମର କଳାକାରଙ୍କୁ ସରକାରୀ ପ୍ରୋତ୍ସାହନ ପ୍ରଦାନ ନିମିତ୍ତ ସରକାରୀ ସ୍ତରରେ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଗ୍ରାମରେ ବାସ କରୁଥିବା ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ,ବିଜୟ କୁମାର ବିଷୋୟୀ,ତ୍ରିନାଥ ବେହେରାଙ୍କ ସମେତ କଳାକାର ଚିରଞ୍ଜିବୀ ସାହୁ,ଜେ.ମନୋଜ କୁମାର ପୃଷ୍ଟି, ନିରଞ୍ଜନ ଦିହୁଡି,ପଞ୍ଚୁ ସ୍ବାଇଁ,ଶିଳ୍ପୀ ଉମାକାନ୍ତ ମିଶ୍ର ପ୍ରମୁଖ ଆଗନ୍ତୁକଙ୍କୁ ଏହି ଡେରାବେଶ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ସହ ଏହାର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ପ୍ରୟାସ କରଯିବା ନିମନ୍ତେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଥିଲେ । ମନ୍ଦିର ସାଜସଜ୍ଜା ତଥା ଡେରାବେଶ ପ୍ରସ୍ତୁତିରେ ବହୁ କଳାକାର ସହାୟତା କରିବା ସହ ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.