ଭିଜିଲାନ୍ସ ଜାଲରେ ମୋଟୁ ଥାନା ଅଧିକାରୀ,ଗାଡିରୁ ୨ ଲକ୍ଷ ୮୦ ହଜାର ଜବତ ।

0 280

ମାଲକାନଗିରି,ତା:୨୩/୦୯(ପିପିଟି):୧୨ ଲକ୍ଷ ଟଙ୍କାର ଦାମି କାରରେ ମାଲିକ ଭଳି ବସି ଯାଉଥିଲେ ଥାନା ଅଧିକାରୀ, ପୁଣି ସେହି କାର୍‌ରେ ଅଭିଯୁକ୍ତଙ୍କ ଭଳି ଗିରଫ ହୋଇ ଗଲେ ୨ ଲକ୍ଷ ୮୦ ଟଙ୍କାର ହିସାବ ଦେଇ ନପାରି ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁ !ଭୁବନେଶ୍ୱର ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇ ଗିରଫ ହେଲେ ଥାନାବାବୁ। ଗତ କାଲି ପ୍ରାୟ ୧.୪୫ ମିନିଟ ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ୮ ଜଣ ସାଧା ପୋଷାକଧାରୀ ବ୍ୟକ୍ତି ଦୁଇଟି ବଲେରୋ ଗାଡ଼ିରେ ଅପେକ୍ଷା କରିଥିଲେ । ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତାକଡ଼ରେ ଯାନବାହାନ ଚଳପ୍ରଚଳ କରିବାକୁ ଏକ ଅଣଓସାରିଆ ରାସ୍ତା ରହିଥିଲା। ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଖରାପ ଥିବାରୁ ଏକ ମାରୁତି ସୁଜକି ଏର୍ଟିଗା କାର୍‌ ସେଠାରେ ନିଜର ଗତିକୁ ଧୀର କରିଥିଲା। ଏହି ସମୟରେ ଅପେକ୍ଷା କରିଥିବା ବ୍ୟକ୍ତିମାନେ କାରଟିକୁ ଘେରିଯାଇଥିଲେ। କାରରେ ବସିଥିବା ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁ ଓ ତାଙ୍କ ପରିବାରକୁ ନିଜର ପରିଚୟ ଓ ସର୍ଚ୍ଚ କରାଇବା ପରେ ଗାଡ଼ିର ଖାନତଲାସ କରିଥିଲେ। ଗାଡ଼ି ମଧ୍ୟରେ ଛୋଟବଡ଼ ୧୫ଟି ବ୍ୟାଗ ରହିଥିଲା ପ୍ରାୟ ୩୦-୪୦ ମିନିଟ୍‌ ଖୋଜାଖୋଜି କରିବା ପରେ ବିଭିନ୍ନ ବ୍ୟାଗରୁ ୨ଲକ୍ଷ ୮୦ ହଜାର ଟଙ୍କାର ୫୦୦ ଟଙ୍କିଆ ତିନିଟି ଅଲଗା ଅଲଗା ଟଙ୍କା ବିଡ଼ା ବାହାରିଥିଲା। ଏହି ଟଙ୍କା କେଉଁଠାରୁ ଆଣିଲେ ସେନେଇ ଥାନା ଆଇଆଇସି ଶ୍ରୀ ସାହୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ କାର ସହ ସେମାନଙ୍କୁ ଖୋର୍ଦ୍ଧା ଭିଜିଲାନ୍‌ସ କାର୍ଯ୍ୟାଳୟ ଅଣାଯାଇଥିଲା। ପ୍ରାୟ ୩ ଘଣ୍ଟା ସେଠାରେ ପଚରାଉଚୁରା କରାଯିବା ସହ ଗାଡ଼ିରେ ଥିବା ଅନ୍ୟ ବ୍ୟାଗଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ରାତି ସାଢ଼େ ୭ଟା ବେଳେ ମହିଳା ଭିଜିଲାନ୍‌ସ ଅଧିକାରୀଙ୍କ ସହ ଆଇଆଇସି ଶ୍ରୀ ସାହୁଙ୍କ ପତ୍ନୀ ଓ ସନ୍ତାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହାପରେ ସନ୍ତୋଷ ସାହୁଙ୍କୁ ସିଜର ତାଲିକାରେ ସ୍ୱାକ୍ଷର କରାଯାଇ ଭୁବନେଶ୍ୱର ନିଆଯାଇଥିଲା ।ଏନେଇ ଚଢ଼ଉ କରିଥିବା ଭିଜିଲାନ୍‌ସ ଟିମ୍‌ର ନେତୃତ୍ୱ ନେଇଥିବା ଏଏସ୍‌ପିି ଅକ୍ଷୟ କୁମାର ମିଶ୍ର କହିଛନ୍ତିି ଯେ, ଥାନା ଅଧିକାରୀ ସନ୍ତୋଷ ସାହୁଙ୍କ ବିରୋଧରେ ବିଭିନ୍ନ ଲୋକଙ୍କ ଠାରୁ ନିଜର କ୍ଷମତା ବଳରେ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଥିଲା। ଏନେଇ ଏକ ସ୍ୱତନ୍ତ୍ର ଟିମ୍‌ ମାଧ୍ୟମରେ ତାଙ୍କର ଗତିବିଧି ଓ ବ୍ୟାଙ୍କ ଆଦିରେ ଜମା ଆଦି ଉପରେ ନଜର ରଖାଯାଇଥିଲା। ବିପୁଳ ଟଙ୍କା ନେଇ ଆସୁଥିବା ସୂଚନା ପାଇ ତାଙ୍କୁ ପିଛା କରିଥିଲା ଭିଜିଲାନ୍ସ କର୍ମଚାରୀ। ଶେଷରେ ଖୋର୍ଦ୍ଧା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଧରାଯାଇଥିଲା । ସେ ଯେଉଁ କାର୍‌ରେ ଆସୁଥିଲେ ତାହାର ମୂଲ୍ୟ ୧୦-୧୨ ଲକ୍ଷ ଟଙ୍କା ହେବ। ଏହି କାର୍‌ଟି ତାଙ୍କ ଶଳା ମିହିର ସାହୁଙ୍କ ନାମରେ ରହିଛି। କାର୍‌ ମଧ୍ୟରୁ ପୋଷ୍ଟାଲ୍‌ ଜମା, ବିଭିନ୍ନ ବ୍ୟାଙ୍କରେ ସ୍ଥାୟୀ ଜମା, ଜୀବନ ବୀମା ସମ୍ପର୍କିତ କାଗଜପତ୍ର ଓ ଲ୍ୟାପ୍‌ ଟପ ଜବତ କରାଯାଇଛି। କାର୍‌ ସହ, ୨ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏହା ସହ ମୋଟୁ ଥାନାରେ ଥିବା ତାଙ୍କ ପ୍ରକୋଷ୍ଠ, ଫୁଲନଖରାରେ ଥିବା ତାଙ୍କ ପୈତୃକ ବାସଭବନ ଓ କଟକ ଶଗଡ଼ଇା ସାହିରେ ଥିବା ତାଙ୍କ ଶ୍ୱଶୁର ଘରେ ଏକକାଳୀନ ଚଢ଼ଉ ଜାରି ରହିଛି। କେତେ ପରିମାଣରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବେଆଇନ ଭାବେ ଠୁଳ କରିଛନ୍ତି ସେନେଇ ସୂଚନା ସ୍ପଷ୍ଟ ହୋଇ ନାହିଁ।ଅପରପକ୍ଷରେ, ଗିରଫ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଆଇଆଇସି ସନ୍ତୋଷ ସାହୁ କହିଛନ୍ତି ଯେ,ତାଙ୍କ ବାପା ଉଚ୍ଚ ରକ୍ତଚାପ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଆପୋଲ ହସପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଚିକିତ୍ସା ପାଇଁ ଟଙ୍କା ଜଣକ ଠାରୁ ଧାର ମାଗିଥିଲେ। ତେବେ କେତେ ଟଙ୍କା ଧାର ମାଗିଥିଲେ, କାହାଠାରୁ ଆଣିଥିଲେ ସେନେଇ ପଚାରିବାରେ ସେ କହିଥିଲେ, ଏନେଇ ସେ ଏବେ କିଛି କହିପାରିବେ ନାହିଁ ।ସୂଚନାଯୋଗ୍ୟ ସନ୍ତୋ ସାହୁ ୨୦୦୯ରେ ଏସ୍‌ଆଇ ଭାବେ ଚାକିରିରେ ଯୋଗ ଦେଇଥିଲେ। ପଦୋନ୍ନତି ପାଇ ମୋଟୁ ଥାନା ଅଧିକାରୀ ଭାବେ ୨ ବର୍ଷ ହେଲା ଯୋଗ ଦେଇଥିଲେ। ଏହାପୂର୍ବରୁ ସେ କଟକର ଟ୍ରାଫିକ୍‌ ସବ୍‌ଇନସ୍ପେପ୍ଟଟ ଭାବେ କାର୍ଯ୍ୟକରୁଥିଲେ। ଥାନା ଅଧିକାରୀ କ୍ଷମତାକୁ ଅପପ୍ରୟୋଗ କରି ମୋଟୁ ଦେଇ ପଥର ଚୋରା ଚାଲାଣ,ଗଞ୍ଜେଇ ଚୋରା ଚାଲାଣରୁ ବିପୁଳ ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ତାଙ୍କ ନାମରେ ହୋଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି )

Leave A Reply

Your email address will not be published.