ଭଞ୍ଜନଗର,୨୪/୦୬(ପିପିଟି); ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅମ୍ଳଜାନ ପିଏସଏ (250 LPM) ଉତ୍ପାଦନ ଓ ବଣ୍ଟନ ବ୍ୟଵସ୍ଥାର ଭିତ୍ତିପ୍ରସ୍ତର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ଭିଡ଼ିଓ କନଫୋରେନସିଂ ମାଧ୍ୟମରେ ଶୁଭ ଦେଇଛନ୍ତି । ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ବିଶେଷ କରି କରୋନାରେ ସଂକ୍ରୋମିତଙ୍କ ପାଇଁ ଉପୁଜୁଥିବା ଅକ୍ସିଜେନ ଅଭାବ ଦୂର କରିବ । ରାଜ୍ୟ ସରକାର ସବୁ ଜିଲ୍ଲାରେ ଷ୍ଟୋରେଜ ପ୍ଲାଣ୍ଟ କରିବା ନିମନ୍ତେ ଘୋଷଣା କରିଥିଲେ । ଷ୍ଟୋରେଜ ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ ସରିଥିବା କଥା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଭଞ୍ଜନଗର ସମେତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସିଟି ହସ୍ପିଟାଲ ରେ ମଧ୍ୟ ଲିକ୍ଵ୍ୟଡ଼ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଛନ୍ତି । ଏହାଛଡା ଦୀର୍ଘଦିନର ଅପେକ୍ଷା ପରେ ଭଞ୍ଜନଗର ଚିକିତ୍ସାଳୟରେ ଚାରି ବେଡ଼ ବିଶିଷ୍ଟ ଡାୟାଲିସିସ ସେବା ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ସହାୟ ଯୋଜନାରେ ସାମିଲ କରାଯାଇଥିବା ବେଳେ ପିପିପି ମୋଡ଼ରେ ପରିଚାଳନା କରାଯିବ । ରାହ କେୟାର ସେଣ୍ଟର ଡାୟାଲିସିସ ପ୍ରାଇଭେଟ ଲିମିଟେଡ଼ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ହେଇଛି । ଡାୟାଲିସିସ କେନ୍ଦ୍ରରେ ଚାରି ଗୋଟି ଅତ୍ୟାଧୁନିକ ବେଡ଼ରେ ଆଵଶ୍ୟକିୟ ମେସିନ ସଂଯୋଗ କରାଯାଇଛି । ଏଥିରେ ଉପଯୋଗ ପାଇଁ ସମସ୍ତ ଯନ୍ତ୍ରାଂସ ଫେୟାରଫକ୍ସ ଇଣ୍ଡିଆ ଚାରିଟେବୁଲ ଫାଉଣ୍ଡେସନ ସହଯୋଗରେ ଆଇସିଆଇସିଆଇ ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଇଛି । ପ୍ରତିଦିନ ନଅ ଜଣ ଲେଖାଁଏ ରୋଗୀଙ୍କ ଡାୟାଲିସିସ କରାଯିବ ବୋଲି ଡାକ୍ତରଖାନା ତରଫରୁ ସୂଚନା ରହିଛି । ଡାୟାଲିସିସ ନିମନ୍ତେ ଜଣେ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନିସିଆନ, ମ୍ୟାନେଜର ଓ ଆଟେଣ୍ଡାଣ୍ଟ ନିଯୁକ୍ତି ସରିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ସ୍ଥାନୀୟ ଅଞ୍ଚଳ ପାଇଁ ଡାୟାଲିସିସ ସେବା ଉପଖଣ୍ଡ ମେଡିକାଲ ରେ ଯୋଗେଇବା ନିମନ୍ତେ ବିଭିନ୍ନ ମହଲରୁ ଦାବି କରାଯାଉଥିବା ବେଳେ ଆଜି ତାହା ସଫଳ ହେଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ବଳିଷ୍ଠ ଉଦ୍ୟମରୁ ଆଜିଠାରୁ ଭଞ୍ଜନଗର ଚିକିତ୍ସାଳୟରେ ଏହି ସେବା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ଭଞ୍ଜନଗର ଅଞ୍ଚଳ ବାସୀଙ୍କ ପାଇଁ ଏହି ସେବା ଭେଟି ଦେଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଆଜିର ଏହି ଉଦଘାଟନ /ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ମେଡିକାଲ ସୁପରୀଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି, ହସ୍ପିଟାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ, ଆଇସିଆଇସିଆଇ ବ୍ୟାଙ୍କ ବ୍ରହ୍ମପୁର ରୁ ଆଞ୍ଚଳିକ ମୁଖ୍ୟ ଅମୟ ନାୟକ, ଆଞ୍ଚଳିକ ମୁଖ୍ୟ ସରକାରୀ ବେଙ୍କ୍ ବ୍ରହ୍ମପୁର ମନୋଜ ଦାସ, ଶାଖା ପରିଚାଳକ ଆସ୍କା ରାମ ହୋତା ସମେତ ଅନ୍ୟ ଡାକ୍ତରଖାନା କର୍ମଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )