ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ।

0 0

ଭୁବନେଶ୍ୱର,୨୩/୦୮(ପିପିଟି):ଗତକାଲି କଂଗ୍ରେସ ବିଧାୟକ ଦଳ ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଏମଏମଡିଆର ବିଲ ପାଇଁ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ଦାବୀରେ ମହାମହିମ ରାଜ୍ୟପାଳ ଏବଂ ବାଚସ୍ପତି ମହୋଦୟାଙ୍କୁ ଭେଟି ଦାବୀ ଜଣାଇଥିଲେ କିନ୍ତୁ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କଂଗ୍ରେସର ସ୍ୱତନ୍ତ୍ର ଅଧିବେଶନ ଦାବିକୁ ଆଗ୍ରହ୍ୟ କରିଦେଇଛନ୍ତି ତେଣୁ ଏହାକୁ ନେଇ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ବିବୃତ୍ତିର ଆୟୋଜନ କଂଗ୍ରେସ ଭବନଠାରେ କରାଯାଇଥିଲା ।

ଏଥିରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ସଂଗଠନ ସନ୍ତୋଷ ସିଂ ସାଲୁଜା ଏବଂ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ଚିଫ ହୁଇପ ରାଜନ ଏକ୍କା ଯୋଗ ଦେଇଥିଲେ ।
ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାଲୁଜା କହିଲେ ଯେ, ରାଜ୍ୟର ସ୍ୱାର୍ଥ ପରିପନ୍ଥୀ ଏମଏମଡିଆର ବିଲ ଉପରେ କଂଗ୍ରେସର ସ୍ୱତନ୍ତ୍ର ଅଧିବେଶନ ଦାବୀକୁ ମନ୍ତ୍ରୀ ଡ଼ ମହାଲିଙ୍ଗ ଆଗ୍ରହ୍ୟ କରିବା ଅତି ଦୁର୍ଭାଗ୍ୟପୂର୍ଣ୍ଣ । ଏହି ବିଲ ପାରିତ ହୋଇଯିବା ଫଳରେ ରାଜ୍ୟ ପାଖାପାଖି ବାର୍ଷିକ ପ୍ରାୟ ୧୦ ହଜାର କୋଟିରୁ ଉର୍ଧ୍ଵ ରାଜସ୍ୱ ହରାଇବା ସହିତ ବକେୟା ରାଜସ୍ୱ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡ଼ିବ ବୋଲି କହିଛନ୍ତି । ସେ ପୁଣି କହିଛନ୍ତି, ଓଡ଼ିଆ ଅସ୍ମିତା ନାମରେ ଶାସନକୁ ଆସି ଓଡ଼ିଶାର ସମସ୍ତ ଧନ ସମ୍ପତ୍ତି, ଜଳ, ଜଙ୍ଗଲ, ଜମି, ଖଣି ଖାଦାନ ଇତ୍ୟାଦି କେନ୍ଦ୍ର ସରକାର ହାତରେ ଟେକି ଦେଉଛନ୍ତି ।
ତେବେ ଏମଏମଡିଆର ବିଲକୁ ପ୍ରତିରୋଧ କରିବା ନେଇ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରି ସାରିଛି । ରାଜଧାନୀରୁ ପଞ୍ଚାୟତ ପର୍ଯ୍ୟନ୍ତ ଧାରଣା, ପ୍ରଦର୍ଶନ କାର୍ଯ୍ୟକ୍ରମ ହେବ ଓ ଆଗାମୀ ଦିନରେ ସମସ୍ତ ବିଜେପି ସାଂସଦଙ୍କ ଘର ମଧ୍ୟ ଘେରାଓ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.