ବିରମହାରାଜପୁର ଅଞ୍ଚଳରେ ଅଘୋଷିତ ବିଜୁଳି କାଟ, ଜନସାଧାରଣ ଅତିଷ୍ଠ ।

0 541

ଉଲୁଣ୍ଡା,(ପିପିଟି)୧୨/୦୬ , ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଓ ଉଲୁଣ୍ଡା ବ୍ଲକରେ  ଅଘୋଷିତ ବିଦ୍ୟୁତକାଟ ଏବେ ନତିଦିନିଆ ଘଟଣା ହୋଇଗଲାଣି ।ଗତ ଦୁଇଦିନ ହେଲା ଅଘୋଷିତ ବିଦ୍ୟୁତକାଟ କାରଣରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଗତ କାଲି ସକାଳ ୮ ଟାରୁ ବିଦ୍ୟୁତ କଟା ଯାଇ ରାତି ୯ଟା ପରେ ଦିଆଯାଇଥିଲା ।ଆଜି ମଧ୍ୟ ସେଇ ଅବସ୍ଥା । ଆଜି ସକାଳ ୧୦ ଟାରୁ କଟାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଲାଇନ ଦିଆଯାଇନାହିଁ ।ଫଳରେ କାଲି ଓ ଆଜି ଦିନ ତମାମ ପ୍ରବଳ ଖରା ଓ ଗୁଳୁଗୁଳି କାରଣରୁ ଲୋକେ ହନ୍ତସନ୍ତ ହୋଇଛନ୍ତି ।ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ସରକାରୀ ବେସରକାରୀ ଅଫିସ ପ୍ରଭାବିତ ହୋଇଛି । ପୂର୍ବରୁ ବିନା ସୂଚନାରେ ବିଦ୍ୟୁତକାଟ କରୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାର କାରଣ ଜାଣିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା । ଏବେ ଅଂଚଳରେ ଦିନକୁ ପ୍ରାୟ  ୩ ରୁ ୪ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ହେଉଛି ।ସାମାନ୍ୟ ବର୍ଷା କି ପବନ ହେଲେ  ଆଉ ଲାଇନ ର ଦେଖା ଦର୍ଶନ ମିଳୁ ନାହିଁ । ଏଠାରେ ଥିବା ଦୁଇ ଜଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ସୋନପୁର ସହରରେ ରହୁଥିବାରୁ ଅଭିଯୋଗ ପାଇଁ ଗଲେ ସାକ୍ଷାତ ମିଳି ପାରୁ ନାହିଁ । ଅଧିକାଂଶ ସମୟ ସେମାନଙ୍କର  ଯୋଗାଯୋଗ ନମ୍ବର ସୁଇଚଅପ ରହୁଛି ।ଏଣୁ ଉପଭୋକ୍ତା ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.