ଭୁବନେଶ୍ବର,୨୯/୧୧ : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ ବିଜେପି ପକ୍ଷରୁ ରାଜ୍ୟ କୋର୍ କମିଟି ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ମୋଟ ୧୫ ଜଣ ନେତା ସ୍ଥାନ ପାଇଛନ୍ତି। ରାଜ୍ୟରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ଭାବେ ଏହା କାମ କରିବ ବୋଲି ଆଲୋଚନା ହେଉଛି। ନବ ଗଠିତ କୋର କମିଟିରେ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ, କନକ ବର୍ଦ୍ଧନ ସିଂହଦେଓ, ସମ୍ବିତ ପାତ୍ର ଏବଂ ସୁରମା ପାଢ଼ୀଙ୍କୁ ସ୍ଥାନ ମିଳିଛି। ଏଥିରେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ଭାବେ ରାଜ୍ଯ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଏବଂ ସହ ପ୍ରଭାରୀ ସାଂସଦ ବିଜୟପାଲ ସିଂହ ମନୋନୀତ ହୋଇଛନ୍ତି। ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନାହିଁ।