ବାଲିକୁଦା,୧୭/୧୧(ପିପିଟି); ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ଵାଇଁଙ୍କ ଆଜି ଭୋର ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ମିଳିଥିବା ସୂଚନାନୁଯାୟୀ ଆଜି ଭୋର ସମୟରେ ଉମେଶ ଚନ୍ଦ୍ର ସ୍ବାଇଁ ହଠାତ ଅସୁସ୍ଥ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଗ୍ରାମରେ ତାଙ୍କର ପୈତୃକ ଘର । ଆଜି ଅପରାହ୍ନରେ ତାଙ୍କ ପାର୍ଥିବ ଶରୀର ଗାଁକୁ ଅଣାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଛାତ୍ର ଜୀବନରୁ ହିଁ ସେ ରାଜନୀତିରେ ସକ୍ରିୟ ଥିଲେ । ମଧୁସୂଦନ ଆଇନ କଲେଜ ରେ ପଢିବା ସମୟରେ ଛାତ୍ର ସାଂସଦ ସଭାପତି ଭାବେ ମନୋନୀତ ହୋଇଥିଲେ । ପରେ ସେ ବାଲିକୁଦା ରୁ ପ୍ରଥମ କରି ୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ କଂଗ୍ରେସର ପରାକ୍ରମୀ ନେତା ବାସୁଦେବ ମହାପାତ୍ରଙ୍କୁ ପରାଜିତ କରିଥିଲେ । ସେ ୪ଥର ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଏକଦା କଂଗ୍ରେସ ଦଳରେ ମଧ୍ୟ ଯୋଗ ଦେଇଥିଲେ । ୨୦୦୦ ଏବଂ ୨୦୦୪ ମସିହାରେ ସେ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି କଂଗ୍ରେସ ଦଳରେ ସେବା କରିବା ପରେ ସେ ୨୦୧୪ ରେ କଂଗ୍ରେସ ଦଳରୁ ନିଜକୁ ବିଚ୍ଛିନ୍ନ କରି ନେଇଥିଲେ ।
(ରିପୋର୍ଟ : ସୁକାନ୍ତ କୁମାର ମହାନ୍ତି ।)
Prev Post