ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶାସନ ସଚିବଙ୍କ ଯାଜପୁର ଡାଇରିଆ ପ୍ରବଣ ଅଞ୍ଚଳ ପରିଦର୍ଶନ।

0 257

ଯାଜପୁର,୧୩/୦୬(ପିପିଟି): ଆଜି ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଶାସନ ସଚିବ ଗିରିଶ ଏସ.ଏନ୍, ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଓ ଇଞ୍ଜନିୟରିଂ ଇନ୍ ଚିଫ୍ ବଳରାମ ମିଶ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସି ଡାଇରିଆ ପ୍ରଭାବିତ ଧର୍ମଶାଳା ବ୍ଲକର ଅଞ୍ଜିରା ପଞ୍ଚାୟତ ଗୋଡ଼ିପାଟିଆ ଗାଁ ପରିଦର୍ଶନ କରି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜଳଉତ୍ସ ଗୁଡ଼ିକର ଡିସଇନଫେକ୍ସନ୍ ଦେଖିଥିଲେ। ପରେ ଜେନାପୁର ପଞ୍ଚାୟତ ଓ ରସୁଲପୁର ବ୍ଲକର ଗୋପାଳପୁର ଗାଆଁ ପରିଦର୍ଶନ କରିଥିଲେ। ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଡିସଇନଫେକ୍ସନ୍ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସମନ୍ବୟରେ ସ୍ଵାସ୍ଥ୍ୟ ବିଭାଗ ଆଶା ଅଙ୍ଗନୱାଡିଙ୍କ ମାଧ୍ୟମରେ ମୁକାବିଲା କରୁଛନ୍ତି। ପ୍ରତ୍ୟେକ ଟ୍ୟୁବ୍ ୱେଲ, ଓଭର ହେଡ୍ ଟାଙ୍କି, ପିଇବା ପାଣି ଉତ୍ସ ତାହା ସରକାରୀ ହେଉ ବା ବେସରକାରୀ ହେଉ ତାଙ୍କ ଘର ବାଡ଼ିରେ ଥିବା ଜଳଉତ୍ସ ଗୁଡ଼ିକୁ ମଧ୍ୟ ଡିସଇନଫେକ୍ସନ୍ କରାଯିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏ.ସି.ଏମ, ମିସ୍ତ୍ରୀ, ଖଲାସୀ, ଲେବର ଓ ନୋଡାଲ ଅଧିକାରୀ ମାନେ ପ୍ରତ୍ୟେକ ଦିନ ଆଧାରରେ ଡିସଇନଫେକ୍ସନ୍ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ସୁପର କ୍ଲୋରିନେସନ୍ କରାଯିବ। ବିଭାଗ ପକ୍ଷରୁ ଅଧିକ ସାମର୍ଥ୍ୟ ଥିବା ବ୍ଲିଚିଂ ପାଉଡର ଓ କ୍ଲୋରିନ ଯୋଗାଇ ଦିଆଯାଉଛି। ଭୋଜି ଭାତରେ ବ୍ୟବହୃତ ହେଉଥିବା ବୋତଲ ପାଣି, ଡ୍ରମ ପାଣିର ସୋର୍ସ ଚେକ୍ କରାଯିବ। ଏହାର ନମୁନା ପରୀକ୍ଷା କରାଯିବ। ପାଣି ରୋଗ ସଂକ୍ରମଣ ଥିବା ଜଣା ପଡ଼ିଲେ ଏହାକୁ ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାଜପୁର ଜିଲ୍ଲାର ୧୦ ବ୍ଲକରେ ୧୬ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି ଏଣୁ ଆଉ ୪ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଡିପ୍ଲଏ କରାଯିବ। ଜୁନ ୧୮ ତାରିଖରେ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପୂର୍ବରୁ ସ୍କୁଲ୍ ପରିସର ଆବାସିକ ହଷ୍ଟେଲର ଜଳଉତ୍ସ ଡିସଇନଫେକ୍ସନ୍ କରାଯିବ। ଜିଲ୍ଲା ପ୍ରଶାସନ ଦ୍ବାରା ନମୁନା ପରୀକ୍ଷା, ବ୍ଲିଛିଂ ପାଉଡର, ଷ୍ଟାଫ, ଫଣ୍ଡ ଯାହା ଆବଶ୍ୟକ କରିବେ ବିଭାଗ ପକ୍ଷରୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି ଶାସନ ସଚିବ ସୂଚନା ଦେଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ,ଜିଲ୍ଲା ପରୀଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଜଳ ଯୋଗାଣ ବିଭାଗର ସମସ୍ତ ଯନ୍ତ୍ରୀ, ସି.ଡି.ଏମ.ଓ, ମେଡିକାଲ କଲେଜ୍ ପ୍ରିନ୍ସିପଲ୍, ସୁପରିଣ୍ଟେଡେଣ୍ଟ୍, ବିଭାଗୀୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.