ପକ୍ଷାଘାତ ମା’କୁ ରାସ୍ତାକଡେ ଶୁଆଇଦେଲା ଝିଅ ! ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ବିଡିଓ ।

0 476

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୬/୦୪-: ଜନ୍ମ କଲା ମା ପାଲଟିଲା ବୋଝ। ଜୀବନର ଶେ‌‌‌‌ଷ ପର୍ଯ୍ୟାୟରେ ରୋଗୀଣା ମାକୁ ସେବା କରିବା ବଦଳରେ ରାସ୍ତ‌ା କଡ଼େ ଶୁଆଇଦେଇ ଚାଲିଗଲା ଝିଅ। ଯେଉଁ ସମୟରେ ବାପା ମାଙ୍କ ଆଶାବାଡି ହୋଇ ସେବା କରିବା କଥା ସେହି ‌ସମୟରେ ଅସହାୟ ଅବସ୍ଥାରେ ସନ୍ତାନ ମାନେ ଛାଡି ଚାଲିଯିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ୍ ଅର୍ନ୍ତଗତ ଗାମୁଣ୍ଡି ଗ୍ରାମରେ । ନିଜର ଭଙ୍ଗା ଘର ସାମ୍ନାରେ ରାସ୍ତା କଡରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜଣେ ବୃଦ୍ଧା‌ ପଡିଥିବା ଗ୍ରାମବାସୀ ଦେଖିଥିଲେ।‌ ଖୋଲା ଆକାଶ ତଳେ ଅତି ନିର୍ଦୟ ଭାବରେ ଝିଅ ତାର ମା କୁ ସେଠାରେ ଛାଡି ଚାଲି ଯାଇଥିବା ଦେଖି ଗ୍ରାମବାସୀ ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥ‌ିଲେ।ସୁଚନା ଅନୁଯାୟୀ, ଭଞ୍ଜନଗର ଥାନା ଅର୍ନ୍ତଗତ ଗାମୁଣ୍ଡି ଗ୍ରାମର ବିନାରୀ ନାୟକ ବୟସ ପାଖାପାଖି ୬୫ ହୋଇଥିବା ବେଳେ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ପରିବାର କହିଲେ ସ୍ବାମୀ ଜୟ ନାୟକ ସମେତ ଗୋଟିଏ ପୁଅ ଓ ଝିଅ। ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ ହେବ ସ୍ବାମୀ ସୁରତ କାମ କରିବା ପାଇଁ ଯାଇଥିବା ବେଳେ ପୁ୍ଅ ମଧ୍ୟ ଦୀର୍ଘ ବର୍ଷ ହେବ ସେଠାକୁ ଯାଇ ଆଉ ଗ୍ରାମକୁ ଫେରି ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଖୋଜ ଖବର ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାମୁଣ୍ଡି ଗ୍ରାମରେ ବିନାରୀ ନିଜ ଝିଅ ସହ ରହୁଥିଲେ। ସେଠାରେ ସେ ଲୋକଙ୍କ ଜମିରେ ଚାଷ କାମ କରି ଯାହା ପାଉଥିଲେ ସେଥିରେ ମା ଝିଅ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିଲେ। ଏହା ମଧ୍ୟରେ ସେ ଝିଅର ବିବାହ ପାଲକଷଣ୍ଢା ଗ୍ରାମରେ କରିଥିଲେ। କିଛି ଦିନ ତଳେ ତାଙ୍କର ହଠାତ୍‌ ଦେହ ଖରାପ ହେବାସହ ଅକ୍ଷମ ହୋଇପଡିଥିଲେ।ପକ୍ଷାଘାତ ରୋଗ କାରଣରୁ ଚଳପ୍ରଚଳ କରିନପାରିବାରୁ କୌଣସି କାମଧନ୍ଦା ମଧ୍ୟ କରିପାରିଲେ ନାହିଁ। ନିଜ କାର୍ଯ୍ୟ ସମ୍ପାଦନ କରିବାରେ ଅସହାୟ ହେବା ସହ ବଞ୍ଚବି କଷ୍ଟସାଧ୍ୟ ହୋଇପଡିଥିଲା। ଏହାପରେ କିଛି ଲୋକଙ୍କ ସହାୟତାରେ ଝିଅକୁ ଖବର ଦେବାପରେ ଝିଅ ବିନାରୀକୁ ତାର ଘରକୁ ନେଇଯାଇଥିଲା। କିଛିଦିନ ପରେ ଗତକାଲି ଆସି ବିନାରୀର ଭଙ୍ଗା ଘର ସାମ୍ନରେ ଛାଡି ଚାଲିଯାଇଥିଲା‌। ଦୟନୀୟ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ନିଜ ଜନ୍ମ କଲା ଝିଅ ମନରେ ସାମାନ୍ୟ ଦୟା ଆସିନଥିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହା ଦେଖି କିଛି ଗ୍ରାମବାସୀ ସେଠାରୁ ବିନାରୀକୁ ଉଠାଇ ଆଣି ଛାଇରେ ଶୁଆଇବା ସହ ଖାଇବାକୁ ଦେଇଥିଲେ। ଏଥିସହ ସେମାନେ ପ୍ରଶାସନକୁ ଖବର ଦେଇଥିଲେ।ଏହାପରେ ବିଡିଓ ଶ୍ରୀ ସେଠୀ ସେଠାରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିଛିଦିନ ଚିକିତ୍ସା କରାଯିବା ପରେ ବିନାରୀର ସ୍ବାସ୍ଥ ଅବସ୍ଥାରେ ଉନ୍ନତି ଆସିଲେ ତାକୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। 
ରିପୋର୍ଟ – ରାହୁଲ ବେହେରା ।

Leave A Reply

Your email address will not be published.