ନୟାଗଡ଼,୩୦/୧୦(ପିପିଟି): ଗଣିଆ ବ୍ଲକ ଅନ୍ତର୍ଗତ ରାଉତପଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ୧ ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସଧରି ଚାଲିଥିବା ସ୍ୱଚ୍ଛ ଭାରତ ର ଆହ୍ବାନକୁ ସଫଳ କରିବା ପାଇଁ ବିଭିନ୍ନ କ୍ଲବର ଉତ୍ସାହ ଦେଖିବାକୁ ମିଳିଛି । ଆଜି ରାଉତପଡା ଗ୍ରାମ ରେ ସମ୍ପର୍କ ଯୁବ କ୍ଲବ୍ ର ପ୍ରାୟତଃ ୨୫ ଜଣ ଯୁବ ବର୍ଗ ଓ ଗ୍ରାମ ବାସୀଙ୍କୁ ନେଇ ଗ୍ରାମର ଶେଷ ପ୍ରାନ୍ତ, ପ୍ରତ୍ୟେକ ଦିନ ଦୀପଦାନ କରାଯାଉଥିବା ଶ୍ରୀ ଶ୍ରୀ ଭୋଲେଶ୍ୱରଙ୍କ ମନ୍ଦିର ସମ୍ମୁଖ ଓ ପ୍ରାଙ୍ଗଣ ସହିତ କ୍ଲବ ଘର ଚତୁଃପାର୍ଶ୍ଵକୁ ସଂପୂର୍ଣ୍ଣ ସଫେଇ ସହିତ ଗ୍ରାମକୁ ପଲଥିନି ମୁକ୍ତ କରି ସଫେଇ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ କ୍ଲବ୍ ତରଫରୁ ଗ୍ରାମବାସୀ ମାନଙ୍କୁ କୋରନା ସଚେତନତା ବାର୍ତ୍ତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ମାସ୍କ୍ ବଣ୍ଟନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ସଂଗଠନର ଗଣିଆ ବ୍ଲକ ଯୁବ ସ୍ଵେଚ୍ଛାସେବୀ ତୁଷାର ମଲିକ୍ ,ପୂର୍ବତନ ସ୍ଵଚ୍ଛା ସେବୀ ଶୁଭାଶିଷ ମିଶ୍ର ଓ ପ୍ରିୟବ୍ରତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ ଯୁବବର୍ଗଙ୍କୁ ପ୍ରେରଣା ଦେଇ ଏହି ଭଳି କାର୍ଯ୍ୟକ୍ରମ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଯୁବକ ମାନଙ୍କର ଏପରି କାମ କରିବା ଦେଖି ଗ୍ରାମର ବିଭିନ୍ନ ସ୍ଥାନରୁ ଲୋକମାନେ ଶୁଭେଚ୍ଛା ପ୍ରଦାନ କରିଥିବାର ସୂଚନା ମିଳିଛି ।
(ରିପୋର୍ଟ- ଜିତେନ୍ଦ୍ର ମହାପାତ୍ର ।)