ଧୋଇଗଲା ଚଢିଆପଲୀ ବୋଡା ନଦୀ ଡାଇଭର୍ସନ ରାସ୍ତା ।

0 221

ବେଲଗୁଣ୍ଠା,୨୯/୦୭(ପିପିଟି); ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବେଲଗୁଣ୍ଠା ସହର ସନ୍ନିକଟ ଚଢିଆପଲୀ ବୋଡା ନଦୀରେ ବନ୍ୟା ଜଳ ଆସିବା ଫଳରେ ଡାଇଭର୍ସନ ରାସ୍ତାଟି ଭାସିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୋଡା ନଦୀ ଉପରେ ୧୨୦ ବର୍ଷ ତଳର ଲୁହା ପୋଲଟି ଗତ ଦୁଇବର୍ଷ ହେବ ଦୁର୍ବଳ ହୋଇଯିବା ଫଳରେ ଦୁଇ ଥର ହେଲା ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଡାଇଭର୍ସନ ରାସ୍ତା ତିଆରି ହେଉଥିଲା ଏବଂ ନୂତନ ସେତୁକାର୍ଯ୍ୟ ପାଇଁ ଟେଣ୍ଡର ହୋଇ କିଛି କାମ ମଧ୍ୟ ଆରମ୍ଭ ହୋଇଛି । ନୂତନ ସେତୁ ପାଇଁ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ଦ୍ବାରା ପୁରୁଣା ପୋଲଟିକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗା ଯାଇଥିଲା । ହେଲେ ସେତୁ ନିର୍ମାଣ ମନ୍ଥର ଗତିରେ ଚାଲିଥିବା ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ପୁଣି ଡାଇଭର୍ସନ ଭାଙ୍ଗି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହେଵା କାରଣରୁ ବେଲଗୁଣ୍ଠା ସହର ଉପରେ ସ୍ୱାସ୍ଥ୍ୟ,ଶିକ୍ଷା ତଥା ବ୍ୟବସାୟ ପାଇଁ ନିର୍ଭର କରୁଥିବା ଆମ୍ବପୁଆ,ମଙ୍ଗଳପୁର,ବଙ୍କା ଏବଂ ଆଖ ପାଖର ବହୁ ପଞ୍ଚାୟତ ବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଏହି ରାସ୍ତା ଦେଇ ଯାଉଥିବା ବିଭିନ୍ନ ବସ୍,ଟ୍ରକ୍ ଅନ୍ୟାନ୍ୟ ଯାନବାହନ ମାତ୍ର ୨୦୦ ମିଟର ରାସ୍ତା ପରିବର୍ତ୍ତେ ଅଢ଼େଇ ଗାଁ,ନିମପଦର,ଏକତାଳ ରାସ୍ତା ଦେଇ ପ୍ରାୟ ୧୫ କିମି ବୁଲି ବୁଲି ଆସିବାକୁ ପଡ଼ିବ । ଏ ନେଇ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ସେତୁ ନିର୍ମାଣ ଏବଂ ବର୍ଷା କମି ନଦୀର ଜଳସ୍ତର କମିଲେ ଆଉ ଏକ ଡାଇଭର୍ସନ ରାସ୍ତା ତିଆରି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ପ୍ରକାଶ ଥାଉ କି ପ୍ରାୟ ୧୮ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ପୋଲଟି ନିର୍ମାଣ ପାଇଁ ଶାସକ ଦଳର ଜଣେ ବରିଷ୍ଠ ନେତା ବୁଗୁଡାର ଧରଣୀ ଧର ବେହେରା କାର୍ଯ୍ୟାଦେଶ ପାଇଛନ୍ତି । ସେ ତାଙ୍କର ପଦ ପଦବୀର ଅପବ୍ୟବହାର କରିବା ଦ୍ଵାରା ବିଭାଗୀୟ ଯନ୍ତ୍ରୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ଵେ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଏ ନେଇ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କଲେ ମଧ୍ୟ ଠିକାଦାରଙ୍କ କର୍ମଚାରୀ ମାନେ ଓଲଟି ଜନ ସାଧାରଣଙ୍କୁ ଧମକ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଜିଲ୍ଲାପାଳ ଓ ଏସ୍ ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.