ଉଲୁଣ୍ଡା,୧୦/୦୭(ପିପିଟି); ଆଜିକାଲି ବହୁଲୋକ ନିଜର ଜନ୍ମଦିବସ ବା ବିବାହବାର୍ଷିକୀ ରେ ଭୋଜି ଭାତ କରିବା,କେକ କାଟିବା ଭଳି ମଉଜ ମସଲିସ କରୁଥିବା ବେଳେ ଆଜି ଉଲୁଣ୍ଡା ଅଂଚଳର ଯୁବ ଦମ୍ପତି ବୃକ୍ଷରୋପଣ କରି ନିଜର ବିବାହ ବାର୍ଷିକୀ ପାଳନ କରିଥିବା ଦେଖିବାକୁ ମିଳିଛି । ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିନ୍ଦ୍ରିଆବାହାଲ ଗ୍ରାମର ସମାଜସେବୀ ରିଲୁ ପୁରୋହିତ ଓ ତାଙ୍କର ଧର୍ମ ପତ୍ନୀ ସିଜିଲ ମିଶ୍ର ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ଯ କରି ଆସୁଥିବା ବେଳେ ନିଜର ଦ୍ବିତୀୟ ବିବାହ ବାର୍ଷିକୀ ଅବସରରେ ବୃକ୍ଷ ରୋପଣ କରି ଆଜି ଚର୍ଚ୍ଚାରେ । ଅନେକ ସମୟରେ ସେ ରୋଗୀଙ୍କୁ ରକ୍ତ ଦାନ କରି ଜିବନ ବଞ୍ଚାଇଥିବା ବେଳେ ନିଜର ଜନ୍ମ ଦିନ ଓ ବିବାହ ବାର୍ଷିକୀ ରେ ରକ୍ତଦାନ ଶିବିର ମଧ୍ୟ କରିଥାନ୍ତି । ଗତବର୍ଷ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ରେ ରକ୍ତ ଦାନ ଶିବିର ସହ ବୃକ୍ଷ ରୋପଣ କରିଥିଲେ । ଚଳିତ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ରକ୍ତ ଦାନ ଶିବିର କରି ନ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଏ ଠାରେ ସେ ପ୍ରାୟ ପଚାଷ ଟି ବୃକ୍ଷ ରୋପଣ କରିବା ସହ ଅନେକ ଲୋକଙ୍କୁ ମାକ୍ସ ଓ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଆଜିର ଆଧୁନିକ ସମାଜରେ ନିଜର ଜନ୍ମଦିନ ଓ ବିବାହ ବାର୍ଷିକୀରେ ଭୋଜି କରି କେକ କାଟି ମଜାମଜଲିସ କରୁଥିବା ବେଳେ ଏହି ଦମ୍ପତିଙ୍କ ଏଭଳି ମହତ କାର୍ଯ୍ୟକୁ ଅନେକ ପ୍ରସଂଶା କରିଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )