ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ନେଇ ବୈଠକ ।

0 350

ଛତ୍ରପୁର,୧୭/୦୧(ପିପିଟି): ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୌଭାଯାତ୍ରା, ଭୋଟ ପ୍ରାର୍ଥନା ଓ ପ୍ରଚାର ଏହି ସମସ୍ତ କାର୍ଯ୍ୟରେ କୋଭିଡ୍ କଟକଣାକୁ ଶତପ୍ରତିଶତ ପାଳନ କରି ଅନୁଷ୍ଠିତ ହେବ । ଏତତ୍ ବ୍ୟତୀତ ନିର୍ବାଚନ ପରିଚାଳନା ଦାୟୀତ୍ବରେ ରହିଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀବୃନ୍ଦ କୋଭିଡ୍ ନିୟମର କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏଥି ସକାଶେ ଆଜି ସୋମବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ଚଳିତ ନିର୍ବାଚନ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣରୂପେ କୋଭିଡ୍ ଗାଇଡ୍ ଲାଇନ୍ ଅନୁପାଳନ କରି ପରିଚାଳନା ହେବ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତଙ୍କର ଆର୍.ଟି.ପି.ସି.ଆର୍ ଟେଷ୍ଟ ହେବ । ନିର୍ବାଚନ ପରିଚାଳନା ଦିଗରେ ପ୍ରଦାନ କରାଯିବାକୁ ଥିବା ପ୍ରଶିକ୍ଷଣ ଗୁଡିକୁ ଓସ୍ବାନ୍ କିମ୍ବା ଜୁମ୍ ଆଭାସୀ ଦ୍ବାରା କରିବାକୁ ପ୍ରୟାସ କରାଯିବ । ବ୍ଲକ୍ ସ୍ତରୀୟ ପରିଚାଳନା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ସ୍ତରରେ କରିବେ । ସମସ୍ତ ବୈଠକ ଗୁଡିକ ଏସ୍.ଓ.ପି. ର ଅନୁପାଳନ ହୋଇ ହେବ । ସମସ୍ତ ବୈଠକ ଗୁଡିକ କୋଠରୀରେ ନକରି ଖୋଲା ଅଞ୍ଚଳରେ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ପ୍ରତିନିଧିଗଣ ୫ଜଣ ବ୍ୟକ୍ତିଙ୍କୁ ନେଇ ନିର୍ବାଚନ ପ୍ରଚାର କାର୍ଯ୍ୟ କରିବେ । ରାତ୍ର ୮ ଘ. ଠାରୁ ତାପରଦିନ ସକାଳ ୭ଘ. ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର ହେବ ନାହିଁ । ଧାର୍ଯ୍ୟ କରଯାଇଥିବା ଭୋଟ୍ ଗ୍ରହଣ ଦିନର ୩୬ ଘଣ୍ଟା ପୂର୍ବରୁ ଆଉ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ ନାହିଁ । ଭୋଟଦାତାଗଣ ନିଶ୍ଚିତ ରୂପେ ମାସ୍କ ପରିଧାନ କରିବା ଆବଶ୍ୟକ । ଭୋଟ ଗଣତି କୋଠରୀରେ ଏଜେଣ୍ଟ ବ୍ୟତୀତ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।ନିର୍ବାଚନଟିକୁ ଅବାଧ, ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଦିଗରେ ପୋଲିସ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ଯେଉଁ ମତଦାନ କେନ୍ଦ୍ର ଗୁଡିକରେ ଅପ୍ରିତିକର ପରିସ୍ଥିତି ଦେଖାଯିବା ଅନୁଭବ ହେବ ଉକ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ସଂହିତା ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।ସରକାରୀ କର୍ମଚାରୀଗଣ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନ ରହିବାକୁ ପରାମର୍ଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟର ପରିଚାଳନା ଦିଗରେ ସରକାରୀ କର୍ମଚାରୀଙ୍କର ଗୁରୁ ଦାୟୀତ୍ବ ରହିବ । ଏଣୁ କେହି ନିଜର ସଦର ମହକୁମା ଛାଡନ୍ତୁ ନାହିଁ । ସମସ୍ତ ଷ୍ଟାଫ୍ ଦୁଇଗୋଟି ଟିକା ନେଇଥିବା ଜିଲ୍ଲାର ସମସ୍ତ ବିଭାଗ ନିଶ୍ଚିତ କରାଇ ନିଅନ୍ତୁ । ସବୁ ସମୟରେ ଯେମିତି ଗୋଟିଏ ଟିମ୍ ଭଳି କାମ କରିଆସିଛନ୍ତି ଏହି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ସେହିଭଳି ଗୋଟିଏ ଟିମ୍ ହୋଇ କାମ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ସମୁଦାୟ ୭୦୯୯ ଓ୍ବାର୍ଡରେ ସମୁଦାୟ ୧୨୭୭୬୨୭ଜଣ ପୁରୁଷ ଭୋଟର, ୧୧୬୫୮୦୯ଜଣ ମହିଳା ଭୋଟର ଏବଂ ୧୮୦ ଜଣ ତୃତୀୟଲିଙ୍ଗ ଏଭଳି ସମୁଦାୟ ୨୪୪୩୬୧୬ଜଣ ଭୋଟର୍ ଅଛନ୍ତି । ଜିଲ୍ଲାର ୫୦୩ ସମିତିସଭ୍ୟ, ୫୦୩ ସରପଞ୍ଚ, ୭୦୯୯ ଓ୍ବାର୍ଡ ମେମ୍ବର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ୭୦୯୯ ଗୋଟି ପୋଲିଙ୍ଗ ଷ୍ଟେସନ ରେ ଭୋଟ୍ ସଂଗ୍ରହ କରାଯିବ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.