ଜିଲ୍ଲା ପ୍ରଶାସନ ଜରିଆରେ ସହାୟତା ଆବଣ୍ଟନ ଘରଘର ବୁଲି କରାଯିବ ଜମିପଟ୍ଟା ପ୍ରଦାନ ।

0 640

ଛତ୍ରପୁର, ତା.୧-୫ କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନର କୋଭିଡ୍ ସେଲ୍ ସହିତ ଯୋଗାଯୋଗ କରି ଏହା କରିପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ଏଥି ସହିତ ଯେଉଁମାନେ ସ୍ବଇଚ୍ଛାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ କୋଭିଡ୍ ସେଲ୍ ରେ ପଞ୍ଜିକରଣ କରିପାରିବେ । ଏହା ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ହୋଇପାରିବ । ଅଦ୍ୟାବଧି ୩୧ ଗୋଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ ଲାଇନ୍ ରେ ପଞ୍ଜିକରଣ କରିଥିବା ସ୍ଥଳେ ୨୨ ଗୋଟି ଅଫ୍ ଲାଇନ୍ ରେ ପଞ୍ଜିକରଣ କରିଛନ୍ତି  । ସେହିପରି ୭୮୭ ଜଣ ସହଯୋଗୀ ଅନ୍ ଲାଇନ୍ ରେ ପଞ୍ଜିକରଣ କରିଥିବା ସ୍ଥଳେ ୨୭୩୪ ଜଣ ଅଫ୍ ଲାଇନ୍ ପଞ୍ଜିକରଣ କରିଛନ୍ତି । ତହସିଲ୍ ଅଫିସ ରେ ଭିଡ କମ୍ କରିବାପାଇଁ ଜମିଜମା ପଟ୍ଟା ଲୋକ ମାନଙ୍କ ଘରେ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନାର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବାହାର ରାଜ୍ୟ ଫେରନ୍ତା ଯେଉଁ ମାନଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଉଛି ସେମାନଙ୍କ ମଧ୍ୟରୁ ଯେଉଁମାନେ ନରେଗା କାମ ପାଇଁ ଇଚ୍ଛୁକ ତାଙ୍କର ମଷ୍ଟରରୋଲ୍ ଉକ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ପ୍ରସ୍ତୁତ କରାଯିବ । ଗାଁ ଗହଳିରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ପଶୁସମ୍ପଦ କାର୍ଯ୍ୟ ଆରମ୍ଭ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।       ପ୍ରବାସୀ ଫେରନ୍ତା ସମସ୍ତଙ୍କର ସ୍ବାବ୍ ପରୀକ୍ଷା କରାଯିବ । ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି  ।  ବାଲେଶ୍ବର, ଭଦ୍ରଖ ଏବଂ ଯାଜପୁର ରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ  । ଜିଲ୍ଲାର ବଡବଡ କ୍ବାରେଣ୍ଟାଇନ୍ କେନ୍ଦ୍ର ଗୁଡିକ ସମ୍ପୂର୍ଣ୍ଣ ସଜାଗ ରହିବେ  । ପ୍ରତ୍ୟେକ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ସମାନ ପ୍ରକାର  ଖାଦ୍ୟ ପ୍ରଦାନ କରିବାପାଇଁ ଜିଲ୍ଲାପାଳ କହିଛନ୍ତି ।            ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ,ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.