କରୋନା ରୋଗୀଙ୍କ ପାଇଁ କୋଭିଡ କେୟାର ସେଣ୍ଟର ରେ ଆବଶ୍ୟକୀୟ ପିଇବା ପାଣି ଓ ଅନ୍ୟାନ୍ୟ ସର୍ବନିମ୍ନ ଆଵଶ୍ୟକତା ଯୋଗାଇ ଦିଆଯାଉ ।

0 635


ଭୂବନେଶ୍ୱର, ୧୫/୦୭(ପିପିଟି); ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ/ ନିଷ୍ଟ ନିକଟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟକୁ କୋଭିଡ କେୟାର ସେଣ୍ଟର କରାଯାଇଛି। ଏହି ସିସିସିରେ ବର୍ତ୍ତମାନ ୫୫୦ କରୋନା ଆକ୍ରାନ୍ତ ରୋଗୀ ଅଛନ୍ତି। ଏହି ସମସ୍ତଙ୍କ ପାଇଁ ମାତ୍ର ଦୁଇଗୋଟି ଛୋଟ ଆକ୍ବାଗାର୍ଡ ରହିଛି। ଗୋଟିଏ ଗୋଟିଏ ଆକ୍ବାଗାର୍ଡ ଘଣ୍ଟାକୁ ସର୍ବାଧିକ ୧୨ ରୁ ୧୪ ଲିଟର ପାଣି ଦେବାର କ୍ଷମତା ରହିଛି । ବହୁ ସମୟରେ ବିଦ୍ୟୁତ କଟୁଛି । ଫଳରେ ପିଇବା ପାଣି ପାଇବା ପାଇଁ ରୋଗୀମାନେ ବହୁ ହନ୍ତସନ୍ତ ହେଉଛନ୍ତି। ବହୁ ରୋଗୀଙ୍କର ଗରମ ପାଣିର ଯଥେଷ୍ଟ ଆଵଶ୍ୟକତା ରହିଛି କିନ୍ତୁ ସେମାନଙ୍କ ଦାବି ସତ୍ତ୍ୱେ ଆଦୌ ଯୋଗାଇ ଦିଆଯାଉନାହିଁ । ୫୫୦ ରୋଗୀଙ୍କ ପାଇଁ ସର୍ବମୋଟ ୧୦ ରୁ ୧୨ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ଅଣ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଫଳରେ ଉପସ୍ଥିତ କର୍ମଚାରୀ ବହୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବା ସତ୍ତ୍ୱେ ରୋଗୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ହେଉଛନ୍ତି । ଫଳରେ ବହୁ ବୟସ୍କ ଓ ଦୁର୍ବଳ ରୋଗୀ ବହୁ ହଇରାଣ ହରକତ ହେଉଛନ୍ତି । ପାଇଖାନା ଓ ଗାଧୁଆଘର ଠିକ୍ ଭାବେ ସଫେଇ ତ ଦୂରର କଥା, ବହୁ ସମୟରେ ଟ୍ୟାପରେ ଆଦୌ ପାଣି ଆସୁନାହିଁ । ଫଳରେ ଅବସ୍ଥା ବହୁ ସଙ୍ଗୀନ ହେଉଅଛି । ବହୁ ଡାଇବେଟିସ ରୋଗୀ ଅଛନ୍ତି । ସେମାନେ ଖାଇବାକୁ ରୁଟି ଆବଶ୍ୟକ କରୁଛନ୍ତି, କିନ୍ତୁ ସେମାନଙ୍କୁ ରୁଟି ଦିଆଯାଉନାହିଁ । ପ୍ରକାଶଯୋଗ୍ୟ, ଏହି କୋଭିଡ କେୟାର ସେଣ୍ଟରରେ ବର୍ତ୍ତମାନ ସିପିଆଇ-ଏମଏଲ (ରେଡ଼ଷ୍ଟାର) ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ତଥା ସାଧାରଣ ଶ୍ରମଜୀବୀ ଦଳିତ ଆଦିବାସୀଙ୍କ ପାଇଁ ଲଢ଼ୁଥିବା ଜଣେ ଜଣାଶୁଣା ସଂଗ୍ରାମୀ କମ୍ରେଡ଼ ଶଙ୍କର ସାହୁ ଓ ତାଙ୍କ ପରିବାର ବର୍ଗ କରୋନା ପଜିଟିଭ ହୋଇ ଗତ ୧୩ ଜୁଲାଇ ୨୦୨୦ ଠାରୁ ଏହି ସିସିସିରେ ଅଛନ୍ତି । ତାଙ୍କର ପ୍ରତ୍ୟକ୍ଷ ସ୍ରୋତକୁ ଆଧାର କରି ତୁରନ୍ତ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ କରିବାକୁ ତଥା ଯୁଦ୍ଧକାଳୀନ ଭିତ୍ତିରେ ପର୍ଯ୍ୟାପ୍ତ ପାନୀୟଜଳ ଓ ଗରମ ପାଣି ଯୋଗେଇ ଦେବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କୋଭିଡ ମନିଟରିଂ କମିଟି ନିକଟରେ ଦାବି ରଖୁଛୁ । ଏଥିସହ ରାଜ୍ୟର ସମସ୍ତ କୋଭିଡ କେୟାର ସେଣ୍ଟର ଏବଂ ହସ୍ପିଟାଲ ମାନଙ୍କରେ ସଂକ୍ରମିତଙ୍କ ଉପଯୁକ୍ତ ଚିକିତ୍ସା ଏବଂ ସର୍ବନିମ୍ନ ଆବଶ୍ୟକତା ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ ନିବେଦନ। ଏଥିସହ ଗଞ୍ଜାମ ଜିଲ୍ଲାର ଅନେକ ଲୋକଙ୍କ ଦେହରେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଦେବା ପରେ ସେମାନେ ବାରମ୍ବାର ବିଡ଼ିଓ, ସରପଞ୍ଚ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ ସେମାନଙ୍କର ଆଦୌ ଚିକିତ୍ସା କରାଯାଉନାହିଁ। ଆଜି କାଲି କହି ସମୟ ଅତିକ୍ରାନ୍ତ କରି ଚାଲିଛନ୍ତି । ଯେଭଳି ଶଙ୍କର ସାହୁଙ୍କ ତଥା ଆମ ପାର୍ଟି ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମଙ୍କ ମା’ଙ୍କର (ବୟସ ୬୫ ବର୍ଷ) ଜ୍ୱର ଗତ ୮ ଜୁଲାଇରୁ ଆରମ୍ଭ ହୋଇଥିଲା । ଏବେବି ଜ୍ୱର ରହୁଛି, କିନ୍ତୁ ବାରମ୍ବାର ଜଣାଇବା ସତ୍ତ୍ୱେ ତାଙ୍କର ଟେଷ୍ଟ ଆଦୌ କରାଯାଉନାହିଁ। ତାଙ୍କ ସହ ସାଥି ଶଙ୍କରଙ୍କ ପୁଅ ବୟସ ୧୬ ଙ୍କର ମଧ୍ୟ ଟେଷ୍ଟ କରାଯାଉନାହିଁ । ଆସିକା ବ୍ଲକ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତ  ଆସିକା ଚିନିକଳ ନୂଆଗାଁ ଠାରେ ସାଥି ଶଙ୍କରଙ୍କ ଘର । ଗୋଟିଏ ଘରେ ଗୋଟିଏ ପାଇଖାନା ଓ ଗାଧୁଆଘର ବ୍ୟବହାର କରି ସେମାନେ ପାଞ୍ଚଜଣ ରହୁଥିଲେ। ତିନି ଜଣଙ୍କ ଟେଷ୍ଟ ପଜିଟିଭ ଆସିଛି। ବାକି ଦୁଇଜଣଙ୍କ ଟେଷ୍ଟ ଓ ଚିକିତ୍ସା ମଧ୍ୟ ଅତ୍ୟନ୍ତ ଜରୁରୀ । ରାଜ୍ୟ ସରକାର, ଉଚ୍ଚ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ସିପିଆଇ-ଏମ ଏଲ (ରେଡ଼ ଷ୍ଟାର) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସରକାର ଓ ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି

Leave A Reply

Your email address will not be published.