କରୋନା ମୁକାବିଲାରେ ଓଡିଶା ମଡେଲ ସାଜିଥିବା କଥା ହାସ୍ୟାସ୍ପଦ, କାହ୍ନୁ ପତି ।

0 299

ବ୍ରହ୍ମପୁର,୨୬/୦୭(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଯେଉଁ ଭଳି ଭାବେ ଦିନ କୁ ଦିନ ବଢିବାରେ ଲାଗିଛି ତାହାକୁ ଦେଖିଲେ ଜିଲ୍ଲାର ସ୍ଥିତି ମଧ୍ୟ ସଙ୍ଗିନ ହୋଇ ପଡିଲାଣି । ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା ବେଳେ ଓଡିଶା କରୋନା ମୁକାବିଲାରେ ରୋଲ ମଡେଲ ସାଜିଥିବା କଥା ହାସ୍ୟାସ୍ପଦ ବୋଲି କହିଛନ୍ତି ଗଞ୍ଜାମରବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି । ପୂର୍ବରୁ ଗଞ୍ଜାମ ଜିଲ୍ଲା କରୋନା ମୁକ୍ତ ଥିବା ବେଳେ ସରକାରୀ ଆକଳନ ଅନୁସାରେ ଆଢେଇ ଲକ୍ଷ ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିଥିଲେ । ପରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଗ୍ରୀନ୍ ଜୋନ୍ ରୁ ରେଡ୍ ଜୋନ୍ ରେ ପରିଣତ ହେଲା ଗଞ୍ଜାମ ଜିଲ୍ଲା । ତେବେ ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ଶ୍ରମିକ ବର୍ତ୍ତମାନ ଦିଗହରା ହୋଇ ତିନି ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ଗଞ୍ଜାମରୁ ପୁଣି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇସାରିଲେଣି । ଆଗକୁ ଆହୁରି ବହୁ ମାତ୍ରାରେ ଶ୍ରମିକ ମାନେ ବାହାର ରାଜ୍ୟକୁ ଫେରିବାକୁ ଥିବା ସୂଚନା ରହିଛି ବୋଲି କହିଛନ୍ତି ବିଜେପି ନେତା ଶ୍ରୀ ପତି । ତେବେ ଶ୍ରମିକ ମାନେ ଗଞ୍ଜାମ ଜିଲ୍ଲାରୁ ପୁଣି ବାହାର ରାଜ୍ୟକୁ ଫେରୁଥିବା ବେଳେ ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ଶ୍ରମଧିକାରୀଙ୍କ ପାଖରେ କୌଣସି ସୂଚନା ନଥିବା ସେ ଅଭିଯୋଗ କରିଛନ୍ତି । ସରକାର କର୍ମସଂସ୍ଥାନ ଯୋଗାଇ ନପାରି ପ୍ରବାସୀ ମାନଙ୍କୁ ଜିଲ୍ଲାକୁ ଆଣି ପ୍ରହସନ ଦେଖାଇବା ସହ ଜିଲ୍ଲା ବାସୀଙ୍କୁ ବିପଦରେ ପକାଇଛନ୍ତି ବୋଲି ସେ କହିଛନ୍ତି ।ଅନ୍ୟପଟେ ଜିଲ୍ଲା ପ୍ରଶାସନର କୋଭିଡ୍ ମୁକାବିଲାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା କହିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳ ଗୁଡିକରେ କୋଭିଡ୍ କେନ୍ଦ୍ର କାର୍ଯ୍ୟକାରୀ ହେଉ ନଥିବା କହିଛନ୍ତି । ଗ୍ରାମାଞ୍ଚଳର ଗୁଡିକରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସ୍ବାସ୍ଥ୍ୟ ସେବା ବିଗିଡି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ସୂଚନା ପ୍ରକାରେ ଜିଲ୍ଲାର ୮୫ ପ୍ରତିଶତ ଗ୍ରୀନ୍ ଜୋନ୍ ରହିଛି । ଏହା କିଭଳି ସମ୍ଭବ ବୋଲି ପ୍ରଶ୍ନ କରିବା ସହ ଗତ ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ଏବଂ ବିନା କରୋନା ଜନିତ ମୃତ୍ୟୁ ସଂଖ୍ୟା କେତେ ତାହା ସ୍ପଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଲୋକେ ଉତ୍ତମ ଚିକିତ୍ସା ପାଇ ନ ପାରି ମଧ୍ୟ ପ୍ରାଣ ହରାଉଛନ୍ତି । କୋଭିଡ୍ ଟେଷ୍ଟ ସମୟରେ ପଜିଟିଭ କହି ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ବେଳେ ପୁଣି କିଛି ଦିନ ପରେ ସେମାନଙ୍କୁ ହସ୍ପିଟାଲରୁ ଘରକୁ ଫେରି ଦିଆଯାଉଛି କିନ୍ତୁ ସେମାନଙ୍କୁ ନେଗେଟିଭ୍ ରିପୋର୍ଟ ପ୍ରଦାନ କରାଯାଉ ନାହିଁ । ଯାହା ଫଳରେ ଗୋଷ୍ଠୀ ସଂକ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବା କହିଛନ୍ତି । ଏଥି ସହ କୋଭିଡ୍ ହସ୍ପିଟାଲରେ ପ୍ରତ୍ୟେକ ଦିନ ଅବ୍ଯବସ୍ଥାର ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଆଇସିୟୁ ରେ ଟେକନିସିଆନ୍ ନଥିବା ଓ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଗଞ୍ଜାମ ଜିଲ୍ଲା ପ୍ରତି ଧ୍ୟାନ ଦେଇ ଗଞ୍ଜାମ କିଭଳି କରୋନା ମୁକ୍ତ ହେବ ସେ ନେଇ ଦୃଷ୍ଟି ଦିଅନ୍ତୁ ନଚେତ୍ ଜିଲ୍ଲା ବାସୀ କେବେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ବିଜେପି ନେତା କାହ୍ନୁ ଚରଣ ପତି ।

Leave A Reply

Your email address will not be published.