ଏରସମା,୦୩/୧୧(ପିପିଟି): ଚଳିତ ବର୍ଷ ସେପ୍ଟେମ୍ବର ୧୩ ରୁ ଲଘୁଚାପଜନିତ ପ୍ରଳୟଙ୍କାରୀ ଓ ମୂଷାଳଧାରାରେ ବର୍ଷା ଫଳରେ ଜଳବୁଡିରେ ଥିବା ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଓ ଚାଷୀକୁ ଏକର ପିଛା ୨୦୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ କୃଷକ ସଭା ପକ୍ଷରୁ ଅନଶନ ଆଜି ଦ୍ଵିତୀୟ ଦିନରେ ଜାରି ରହିଛି । କାଲି ଅନଶନର ପ୍ରଥମ ଦିନ ସନ୍ଧ୍ୟାରେ ଏରସମା ତହସିଲଦାର ଓ ଉପ ଜିଲ୍ଲାପାଳ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀ ନେତାମାନଙ୍କ ସହିତ ପ୍ରାୟ ଘଣ୍ଟାଏ କାଳ ଆଲୋଚନା କରିଥିଲେ । ଆନ୍ଦୋଳନକାରୀଙ୍କ ଦାବୀ ଯଥାର୍ଥ ହୋଇଥିଲେ ମଧ୍ୟ ତାହା ଜିଲ୍ଲାପାଳଙ୍କ ପରିସର ବାହାରେ ବୋଲି କହିବ ସହିତ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ପ୍ରାୟ ରାତି ୧୧.୩୦ ସମୟରେ ଏରସମା ତହସିଲଦାର ଓ ଥାନା ଅଧିକାରୀ ଆନ୍ଦୋଳନସ୍ଥଳରେ ପହଁଞ୍ଚି ଜିଲ୍ଲାପାଳ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ କରିଥିବା ଚିଠିର ନକଲ ପ୍ରଦାନ କରିବା ସହିତ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ତଦନୁଯାୟୀ ଆଜି ଆନ୍ଦୋଳନସ୍ଥଳରେ ଶତାଧିକ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ତ୍ୱରିତ ପଦକ୍ଷେପ ପାଇଁ ଏରସମା ତହସିଲଦାର ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ପ୍ରଦାନ କରାଯିବ ସହିତ, ଚିଠି ନୁହେଁ ଚାଷୀର କ୍ଷତିପୂରଣ ସମ୍ବଦ୍ଧରେ ନିର୍ଦ୍ଧିଷ୍ଟ ପ୍ରତିଶୃତି ନପାଇବା ଯାଏ ଅନଶନ ଜାରି ରହିବ ବୋଲି ଘୋଷଣା କରାଯାଇଥିଲା । ଆଜି ଅନଶନସ୍ଥଳରେ ବିଶିଷ୍ଠ ବାମପନ୍ଥୀ ନେତା ଅଭୟ ସାହୁ, ଶଶିଭୂଷଣ ସ୍ୱାଇଁ, ଜପା ସରପଞ୍ଚ ତପନ ଗୋଛାୟତ, ଚାଷୀ ନେତା ଧ୍ରୁବ ପାତ୍ର,ବଇଁଶୀଧର ବେହେରା, ଦାମୋଦର ବେହେରା, ସମରେଶ ମୁଦୁଲି, ଶରତ ମଳିକ,ମହେଶ୍ୱର ମହାପାତ୍ର, ହୃଷିକେଶ ବିଶ୍ୱାଳ, ମହେନ୍ଦ୍ର ଜେନା, ସୁରେନ୍ଦ୍ର ରାଉତ, ବାସୁଦେବ ଖଣ୍ଡୁଆଳ, ହରେକୃଷ୍ଣ ମଣ୍ଡଳ,ବସନ୍ତ ସାହୁ, ମାଗୁଣି ସ୍ୱାଇଁ ନିରଞ୍ଜନ ସ୍ୱାଇଁ, ବିଜୟ ବେହେରା ,ଅମରେନ୍ଦ୍ର ଦାସ, କାହ୍ନା ସେନାପତି, ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଶତାଧିକ ଚାଷୀ ଯୋଗ ଦେଇଥିଲେ ।