ଏବେବି ବଞ୍ଚିଛି ମାନବିକତା, ନିଜ କାମ ଛାଡ଼ି ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ଆକାଶ ।

0 366

ପଦ୍ମପୁର,୧୦/୦୭(ପିପିଟି); ବର୍ତ୍ତମାନର କରୋନା ମହାମାରୀ ସମୟରେ ଅନେକ ଜାଗାରେ ମାନବିକତାର ହତ୍ୟା ହେବା ଖବରଗୁଡ଼ିକ ପ୍ରତିଦିନ ଆସୁଅଛି କିନ୍ତୁ ଏବେମଧ୍ୟ ଭଲ ମଣିଷ ମାନେ ଦୁନିଆରେ ଅଛନ୍ତି ଯାହାଙ୍କ ପାଇଁ ମାନବସମାଜ ଗର୍ବିତ । ଜଣେ ଯୁବକଙ୍କ ସାହାସିକତା ଏବଂ ମାନବିକତା ଯୋଗୁଁ  ଦୁର୍ଘଟଣା ରେ ଆହତ  ଦୁଇଟି ଜୀବନ ସୁରକ୍ଷିତ ହୋଇଥିବା ଖବର ସମସ୍ତଙ୍କ ମନରେ ଯୁକ୍ତାତ୍ମକ ଭାବ ଜାଗ୍ରତ କରିବ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପହଣ୍ଡି ଏବଂ ପଡ଼ା ଛକ ମଝିରେ ଏକ ସ୍ଥାନରେ କୁକୁର ସହିତ ଧକ୍କା ହେଇ ଦୁଇଜଣ ବାଇକ ଆରୋହି ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିଲେ । ପାଖରେ ଅନେକ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣକ ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ହେଉଥିବାରୁ ଭୟରେ ତାଙ୍କ ପାଖକୁ କେହି ଯାଉନଥିଲେ । ଏହି ରାସ୍ତାରେ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରୁ ଏକ ବାଇକରେ ଆକାଶ କୁମାର ସାହୁ ଏବଂ କିରଣ ପ୍ରଧାନ ନାମକ ଦୁଇଜଣ ଯୁବକ ବରଗଡ଼କୁ ଅଫିସ କାମରେ ଯାଉଥିଲେ । ଆହତଙ୍କୁ ଗୁରୁତର ଅବସ୍ଥାରେ ଦେଖି ଆକାଶ ଗାଡିରୁ ଓହ୍ଲେଇ ଆସିଥିଲେ ଏବଂ ମାନବିକତା ଦୃଷ୍ଟିରୁ ସମନୁଭୁତି ପ୍ରଦର୍ଶନ କରି ପାଖରେ ଥିବା କପଡାକୁ ମୁଣ୍ଡରେ ରକ୍ତସ୍ରାବ ହେଉଥିବା ଜାଗାରେ ଦେଇଥିଲେ । ସେଠାରେ ଥିବା ଲୋକମାନେ ପ୍ରଥମେ ତାଙ୍କୁ କୁଣ୍ଡାଖାଇ ଗ୍ରାମର ବୋଲି କହୁଥିବାରୁ ତାଙ୍କ ଫୋଟୋକୁ ଉଠେଇ କୁଣ୍ଡାଖାଇ ଗ୍ରାମର ଜଣେ ଭାଇଙ୍କ ନିକଟକୁ ପଠେଇଲା ପରେ  ସେମାନେ ଗାଇସିଲେଟ ବ୍ଲକ ଜଡ଼ାଗଂଝା ଗ୍ରାମର ବୋଲି ତାଙ୍କର ପରିଚୟ ମିଳିଥିଲା । ଘଟଣାର ଗମ୍ଭୀରତାକୁ ବୁଝିପାରି ଯେହେତୁ ତାଙ୍କ ପରିବାର ବର୍ଗଙ୍କ ଆସିବାର ଡେରି ହୋଇପାରେ ବୋଲି ଭାବି ନିଜେ ନିଜର କାମ ଛାଡ଼ି ଆମ୍ବୁଲାନ୍ସ ଗାଡ଼ିରେ ସାଙ୍ଗରେ ଯାଇ ବିଜେପୁର ଡାକ୍ତରଖାନାକୁ ପହଞ୍ଚିଥିଲେ । ସେଠାରେ ବିଜେପୁର ଡାକ୍ତରଖାନା କର୍ତ୍ତୃପକ୍ଷ ଦୁର୍ଘଟଣାରେ ପୀଡ଼ିତ ଲୋକଙ୍କ ପରିବାର ଲୋକେ ଆସିବା ପରେ ଆଗକୁ ଯିବାପାଇଁ କହିବାରୁ ଆକାଶ ନିଜେ ତାଙ୍କର ସମ୍ପର୍କୀୟ ହିସାବରେ ବରଗଡ଼ ଶୀଘ୍ର ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ. ଇତିମଧ୍ୟରେ ଆମ୍ବୁଲାନ୍ସ ଛାଡ଼ିବା ସମୟରେ ଦୁଇଜଣ ସମ୍ପର୍କୀୟ ପହଞ୍ଚିଥିଲେ ।ଆମ୍ବୁଲାନ୍ସରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଲାବେଳେ ଜଣେ ଆହତ ରକ୍ତ ବାନ୍ତି କରିଥିଲେ, ଅନ୍ୟ ଜଣେ ଆହତ ଯାହାଙ୍କ ଅବସ୍ଥା ଟିକେ ସ୍ଥିର ଥିଲା ସିଏ ମଧ୍ୟ ବାନ୍ତି କରୁଥିଲେ । ଅତ୍ୟନ୍ତ ସାହସର ସହିତ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇବା ପରେ ସେଠାରେ କୌଣସି ଚିକିତ୍ସା ଉପଲବ୍ଧ ନ ଥିବାରୁ ଏବଂ ଶୀଘ୍ର ଆଇସିୟୁ ଦରକାର ଥିବାରୁ ଭୀମସାର ବୁର୍ଲାକୁ ରେଫର କରିଦେଇଥିଲେ । ଆକାଶ ତାଙ୍କ ବଡ଼ଭାଇଙ୍କୁ ଫୋନ ଯୋଗେ ଜଣେଇବାରୁ ଶୀଘ୍ର ଆଇସିୟୁ ସୁବିଧା ପାଇବା ନିମନ୍ତେ ବରଗଡ଼ ସ୍ଥିତ ଘରୋଇ ଡାକ୍ତରଖାନା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ । ତାପରେ ସେଠାରୁ ଏକ ପ୍ରାଇଭେଟ ଗାଡି ଭଡ଼ା କରି ବିକାଶ ଡାକ୍ତରଖାନାକୁ ନେଇଥିଲେ । ଏ ସମସ୍ତ ବିଷୟକୁ ଟ୍ୱିଟ ମାଧ୍ୟମରେ ଦିବସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ବରଗଡ଼ ଜିଲ୍ଲାପାଳଙ୍କୁ ତଥା ସାଂସଦ ସୁରେଶ ପୂଜାରୀଙ୍କୁ  ଜଣେଇଥିଲେ । ଫଳରେ ସାଂସଦ ସୁରେଶ ପୂଜାରୀ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସହାୟତା ପାଇଁ ଅନୁରୋଧ କରିଥିବା ପ୍ରତ୍ୟୁତ୍ତର ଦେଇଥିଲେ । ବରଗଡ଼  ଜିଲ୍ଲାର ଜଣେ ସାମାଜିକ କର୍ମୀ ତଥା କରୋନା ଫାଇଟର ଗ୍ରୁପର ସଦସ୍ୟ ମୌସୁମ ମିଶ୍ର ବିକାଶ ଡାକ୍ତରଖାନା ପ୍ରମୁଖଙ୍କ ସହିତ କଥା ହେଇ ଆଇସିୟୁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଇତିମଧ୍ୟରେ ଉଭୟ ଆହତଙ୍କ ପରିବାର ଲୋକେ ବରଗଡ଼  ବିକାଶ ଡାକ୍ତରଖାନାକୁ ପହଞ୍ଚିଥିଲେ । ଶେଷ ଖବର ମିଳିବା ସୁଦ୍ଧା ଜଣଙ୍କର ଅସ୍ତ୍ରୋପଚାର ବିକାଶ ଡାକ୍ତରଖାନାରେ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଅକାଶଙ୍କ ଏହି ସାହାସିକତା ଏବଂ ମାନବିକତାକୁ ସମସ୍ତେ ଭୁୟସୀ ପ୍ରସଂସା କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.