ବୋଲଗଡ଼,୧୦/୦୭(ପିପିଟି): ସିଆଇଟିୟୁ ର ଆହ୍ୱାନ କ୍ରମେ ୧୦ ଜୁଲାଇ ସ୍କିମ ଶ୍ରମିକ ଙ୍କ “କଳା ଦିବସ ” ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ଆଶାକର୍ମୀ ଆସୋସିଏସନ ତରଫରୁ ବିକ୍ଷୋଭ ଓ ପ୍ରତିବାଦ ସଂଗଠିତ ହୋଇଯାଇଛି। ସଂଗଠନ ର ଜିଲ୍ଲା ସଭାପତି ସାଥୀ ଚପଧାରୀ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାର ର ୧୨ ବର୍ଷ ଓ ରାଜ୍ୟ ମୋହନ ସରକାର ର ୨ ବର୍ଷ ପୂର୍ତ୍ତି ପାଳନ କରି ବିକାଶ ର ଡିଣ୍ଡିମ ପିଟୁଥିବା ହିଁ ଧୂଆଁ ବାଣ ବୋଲି ବକ୍ତା ମାନେ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ସବୁଥିରେ ବିଫଳ ହୋଇଥିବା ବେଳେ ଡବଲ ଇଞ୍ଜିନି ବିଜେପି ସରକାର ପୁଣି ପୁଞ୍ଜିପତି ଙ୍କ ସ୍ୱାର୍ଥ ରକ୍ଷା ପାଇଁ ଶ୍ରମିକ ମାନଙ୍କୁ କ୍ରୀତଦାସ ରେ ପରିଣତ କରିବା ପାଇଁ ୪ ଟି ଶ୍ରମକୋଡ଼ କାର୍ଯ୍ୟକାରୀ କରିଥିଲା ବେଳେ ଶ୍ରମିକ ସ୍ୱାର୍ଥ ରକ୍ଷାକାରୀ ଶ୍ରମ ଆଇନ ଉଛେଦ କରିଛନ୍ତି।ଦୀର୍ଘ ୨୦ ବର୍ଷ ହେଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ଛାମୁଆ ବାହିନୀ ଭାବେ କାର୍ଯ୍ୟ କରୁଥିବା ଆଶା କର୍ମୀ ନିୟମିତ ହେବା ଓ ସର୍ବନିମ୍ନ ଦରମା ପାଇବାରୁ ବଞ୍ଚିତ ହୋଇଥିଲା ବେଳେ ସାମାଜିକ ସୁରକ୍ଷା ମଧ୍ୟ ନାହିଁ। ତା ସାଙ୍ଗକୁ ମୋଦୀ ସରକାର ୧୨ ବର୍ଷରେ ଟଙ୍କାଟିଏ ଦେଇନଥିଲା ବେଳେ ଗତ ୨୦୨୫ ର ବାର୍ଷିକ ବଜେଟ ବେଳେ ବହୁ ଆନ୍ଦୋଳନ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନାଡ଼ା ପାର୍ଲ୍ୟାମେଣ୍ଟ ରେ ଆଶା କର୍ମୀଙ୍କ ମାସିକ ପ୍ରୋତ୍ସାହାନ ରାଶି ୧୫୦୦ ଟଙ୍କା ବୃଦ୍ଧି ପାଇଁ ଦେଇଥିବା ପ୍ରତି ଶୃତି ଏଯାବତ କାର୍ଯ୍ୟାକାରୀ କଲେ ନାହିଁ ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। “ଶବକା ସାଥୀ ଶବକା ବିକାଶ” ଏକ ପ୍ରହସନ ହୋଇଥିବାରୁ ଆଜି ମୋଦୀ ସରକାର ବିରୋଧରେ ଦେଶ ବ୍ୟାପୀ କଳା ଦିବସ କୁ ସଫଳ କରିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ବିଜେପି ର ଡବଲ ଇଂଜିନ ସରକାର ତୁରନ୍ତ ୪ ଟି ଶ୍ରମ କୋଡ଼ ବାତିଲି କରି ଶ୍ରମ ଆଇନ ପୁନଃ ପ୍ରଚଳନ, ଆଶା କର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କା ଦରମା, ମୃତ୍ୟୁ ଓ ଅବସର କାଳୀନ ୧୦ ଲକ୍ଷ ଟଙ୍କା ସରକାରୀ ସାହାୟତା ଓ ସାମାଜିକ ସୁରକ୍ଷା ଆଦି ଯୋଗାଇ ଦେବାର ଦୃଢ଼ ଦାବୀ କରିବା ସହ ଏକ ଦାବିପତ୍ର ପ୍ରଧାନ ମନ୍ତ୍ରି ଙ୍କୁ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଙ୍କ ଜରିଆରେ ଦେଇଥିଲେ।
ଏହି କଳା ଦିବସରେ ସିଆଇଟିୟୁ ଜିଲ୍ଲା ଆବାହକ ଶରତ ବେହେରା, ରାଜ୍ୟ ସମ୍ପାଦକ ତଥା ଆଶା କର୍ମୀ ସଂଗଠନ ର ରାଜ୍ୟ ଉପ ସଭାପତି ସୁରେଶ ସ୍ୱାଇଁ,ଜିଲ୍ଲା ସମ୍ପାଦିକା ମଙ୍ଗୁଳି ରାଉତ, ସଂଯୁକ୍ତା ସେଠୀ, କାଳନ୍ଦୀ ନାୟକ, ସରୋଜିନୀ ତ୍ରିପାଠୀ,ପ୍ରତିଭା ବେହେରା, ସଞ୍ଜୁଲତା ପରିଡ଼ା, କାଞ୍ଚନ ବେହେରା ଓ ପୁଷ୍ପଲତା ପଟ୍ଟନାୟକ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।