ତ୍ୱରିତ କ୍ଷୟକ୍ଷତି ଆକଳନ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ।

ଛତ୍ରପୁର,୦୬/୧୧(ପିପିଟି): ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ପରବର୍ତ୍ତୀ ପଦକ୍ଷେପ ନେଇ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଓସ୍ୱାନ୍ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସିକା, ସୋରଡ଼ା, ଧରାକୋଟ, ଭଞ୍ଜନଗର ଓ ପୁରୁଷୋତ୍ତମପୁର ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ଅର୍ଥ ସହାୟତା ବଣ୍ଟନ ଆସନ୍ତାକାଲିଠାରୁ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପ୍ରଭାବିତ ୯ଟି ବ୍ଲକରେ ଚାଉଳ ବଣ୍ଟନକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା ।

ଘର ନିର୍ମାଣ ସହାୟତା,ବସ୍ତ୍ର ଓ ବାସନକୁସନ ବଣ୍ଟନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । କ୍ଷୟକ୍ଷତି ଆକଳନ ପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ କାର୍ଯ୍ୟକ୍ଷମ କରି ଆକଳନ ଆରମ୍ଭ କରିବା ସହ ତହସିଲଦାରମାନେ ଗୁଗୁଲ୍ ସିଟ୍‌ରେ ନିୟମିତ ତଥ୍ୟ ଦେବା ଏବଂ ତାହାର ସଠିକତା ଯାଞ୍ଚ କରିବାକୁ ଜିଲ୍ଲାପାଳ କହିଥିଲେ । ନବରତ୍ନପୁର ଗ୍ରାମର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତାଘାଟ ଓ ଭିତ୍ତିଭୂମିର ସ୍ଥାୟୀ ପୁନରୁଦ୍ଧାର ପାଇଁ ଆସନ୍ତା ୧୦ ତାରିଖ ସୁଦ୍ଧା ଆବଶ୍ୟକ ଆକଳନ ଓ ଅଟକଳ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କଳିଙ୍ଗା ଘାଟି ରାସ୍ତାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମୀକ୍ଷା କରାଯାଇଥିଲା ।

ବନ୍ୟା ପରବର୍ତ୍ତୀ ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତରେ ବ୍ୟାପକ ସଫେଇ ଅଭିଯାନ କରିବା ସହ ବିଶେଷକରି ବିଦ୍ୟାଳୟ ପରିସରକୁ ସଫାସୁତରା କରିବା ଉପରେ ଗୁରୁତ୍ୱାରୋପ । ପାନୀୟ ଜଳର ଉପଯୁକ୍ତ ବିଶୋଧନ, ନିୟମିତ ଜଳ ନମୁନା ପରୀକ୍ଷା ଓ ପ୍ରତିଷେଧକ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ଗୁଡ଼ିକୁ ମିଶନ୍ ମୋଡ୍‌ରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନେ ବିଦ୍ୟାଳୟଗୁଡ଼ିକର ସୁରକ୍ଷା ଯାଞ୍ଚ କରି ପ୍ରମାଣପତ୍ର ପ୍ରଦାନ କରିବେ । ସୁରକ୍ଷିତ ବିଦ୍ୟାଳୟଗୁଡ଼ିକୁ ଆସନ୍ତା ସୋମବାରଠାରୁ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରିବା ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ,ବିଡିଓ, ତହସିଲଦାର ଏବଂଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Comments (0)
Add Comment