ବ୍ରହ୍ମପୁର ଜିଲ୍ଲା ଖାଉଟି ଆୟୋଗଙ୍କ ବଡ଼ ରାୟ;ହୋଟେଲ ‘ଜାଇକା’କୁ ଜରିମାନା ।

ବ୍ରହ୍ମପୁର,୦୬/୧୧(ପିପିଟି): ଖାଦ୍ୟରେ ମଲା ମାଛି ବାହାରିବା ଏବଂ ଅତ୍ୟଧିକ ବିଳମ୍ବରେ ଖାଦ୍ୟ ପରିବେଷଣ କରିବା ଅଭିଯୋଗରେ ବ୍ରହ୍ମପୁରର ଏକ ଜଣାଶୁଣା ରେଷ୍ଟୁରାଣ୍ଟକୁ ଜରିମାନା କରାଯାଇଛି । ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ଅଙ୍କୁଲି ବାଇପାସ୍ଥିତ ‘ଦି ଜାଇକା ରେଷ୍ଟୁରାଣ୍ଟ’ (The Zaikaa Restaurant) ବିରୁଦ୍ଧରେ ଏହି ଦଣ୍ଡବିଧାନ କରିଛନ୍ତି ।

ଆୟୋଗଙ୍କ କୋର୍ଟରେ ଚାଲିଥିବା ‘ସି.ସି. ମାମଲା ନଂ ୫୦/୨୦୨୫’ର ଶୁଣାଣି କରି ଆୟୋଗର ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ ଏହି ରାୟ ପ୍ରଦାନ କରିଛନ୍ତି ।

ମାମଲାର ସଂକ୍ଷିପ୍ତ ବିବରଣୀ,
ଗତ ୨୦୨୫ ମସିହା ମେ’ ୧୧ ତାରିଖ ଦିନ ଆଇନଜୀବୀ ଶିବଜ୍ୟୋତି ନାୟକ ତାଙ୍କ ପରିବାର ଏବଂ ଜଣେ ବୃଦ୍ଧ ସମ୍ପର୍କୀୟଙ୍କ ସହ ଅଙ୍କୁଲି ବାଇପାସସ୍ଥିତ ଇସ୍କନ ମନ୍ଦିର ସାମ୍ନାରେ ଥିବା ‘ଦି ଜାଇକା’ ରେଷ୍ଟୁରାଣ୍ଟକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ. ଅଭିଯୋଗ ଅନୁଯାୟୀ, ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ବିନା କୌଣସି କାରଣରେ ପ୍ରାୟ ଦେଢ଼ରୁ ଦୁଇ ଘଣ୍ଟା ସମୟ ଧରି ଅପେକ୍ଷା କରାଇବା ପରେ ଖାଦ୍ୟ ପରିବେଷଣ କରିଥିଲେ । ସେଥିରେ ପରିବେଷିତ ହୋଇଥିବା ବଟର ନାନ୍ (Butter Naan) ଭତରୁ ଏକ ମଲା ମାଛି ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହାକି ଖାଦ୍ୟ ସହିତ ଶିଝିଥିଲା । ଏହାକୁ ବିରୋଧ କରିବାରୁ ରେଷ୍ଟୁରାଣ୍ଟ କର୍ମଚାରୀମାନେ ଅତି ଅଧୀର ଓ ଅଭଦ୍ର ଭାବେ ବ୍ୟବହାର କରିଥିଲେ । ଏନେଇ ଖାଉଟି ଜଣକ ଜିଲ୍ଲା ଖାଉଟି ଆୟୋଗରେ ମାମଲା ଦାୟର କରିଥିଲେ ।

ଆୟୋଗଙ୍କ ମୁଖ୍ୟ ନିର୍ଦ୍ଦେଶ ଓ ଜରିମାନା,ଉଭୟ ପକ୍ଷର ଯୁକ୍ତି ଓ ପ୍ରମାଣକୁ ବିଚାରକୁ ନେଇ ଆୟୋଗ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ସେବାଗତ ତ୍ରୁଟି ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ପାଇଁ ଦୋଷୀ ସାଧ୍ୟ କରିଛନ୍ତି. ଆୟୋଗ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି ।

ନିମ୍ନମାନର ଖାଦ୍ୟର ମୂଲ୍ୟ ପ୍ରତ୍ୟାବର୍ତ୍ତନ, ତ୍ରୁଟିପୂର୍ଣ୍ଣ ବଟର ନାନ୍ ବାବଦରେ ନିଆଯାଇଥିବା ୧୦୦ ଟଙ୍କା ଫେରସ୍ତ କରିବେ.
କ୍ଷତିପୂରଣ, ମାନସିକ ଯନ୍ତ୍ରଣା, ହଇରାଣ ଓ ଶାରୀରିକ ଅସୁବିଧା ପାଇଁ ଅଭିଯୋଗକାରୀଙ୍କୁ ୨୫,୦୦୦ ଟଙ୍କା କ୍ଷତିପୂରଣ ଦେବେ ।

ମକଦ୍ଦମା ଖର୍ଚ୍ଚ,ମାମଲା ପରିଚାଳନା ନିମନ୍ତେ ଆଇନଗତ ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ ।

ଜନସ୍ୱାସ୍ଥ୍ୟ ପାଣ୍ଠିରେ ଜରିମାନା ପୈଠ, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଏବଂ ସ୍ୱାସ୍ଥ୍ୟଗତ ଅବହେଳା ପାଇଁ ବ୍ରହ୍ମପୁର ମହାନଗର ନିଗମ (BeMC) ପାଣ୍ଠିରେ ଅତିରିକ୍ତ ୧୦,୦୦୦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୋଟ ୪୫,୧୦୦ ଟଙ୍କା ଆଗାମୀ ୪୫ ଦିନ ଭିତରେ ପ୍ରଦାନ କରିବାକୁ କୁହାଯାଇଛି । ଯଦି ନିର୍ଦ୍ଦେଶ ଅମାନ୍ୟ ହୁଏ, ତେବେ ମକଦ୍ଦମା ଖର୍ଚ୍ଚକୁ ବାଦ ଦେଇ ସମୁଦାୟ ଅର୍ଥରାଶି ଉପରେ ମାମଲା ଦାୟରଠାରୁ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଆଦାୟ କରାଯିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି । ଏହି ରାୟ ଖାଉଟି ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ପ୍ରଦାନ କରାଯାଇଛି ।

Comments (0)
Add Comment