ଅବକାରୀ ବିଭାଗ ହାତରେ ୨ ଗଞ୍ଜେଇ ଚୋରା ଚାଲାଣକାରୀ: ୨ବାଇକ ସହ ୩୧ କିଲୋ ଗଞ୍ଜେଇ ଜବତ ।

ଭଞ୍ଜନଗର, ୦୬/୧୧(ପିପିଟି ):ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲାର ସମସ୍ତ ରାସ୍ତାଘାଟରେ ପାଣି ମାଡିଯାଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।ହେଲେ ଏବେ ସ୍ଥିତିରେ ସୁଧାର ଆସି ଚଳାଚଳ ସ୍ୱାଭାବିକ ହେବାରୁ ପୁଣି ଥରେ ସକ୍ରିୟ ହୋଇଛନ୍ତି ନିଶାଦ୍ରବ୍ୟ ଚୋରା ଚାଲାଣକାରୀ।ପଡୋଶୀ କନ୍ଧମାଳ ଜିଲ୍ଲାରୁ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣ ଉପରେ ଚଢ଼ାଉ କାରି ଏକ ବଡ଼ ଧରଣର ସଫଳତା ହାସଲ କରିଛି ଭଞ୍ଜନଗର ଅବକାରୀ ବିଭାଗ। ଦୁଇଟି ପୃଥକ ଏନଡିପିଏସ୍ ମାମଲା ଧରିବା ସହ ଭଞ୍ଜନଗର ଥାନା ଅଞ୍ଚଳରୁ ମୋଟ ୩୧ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍।
ଭଞ୍ଜନଗର ନିକଟ ‘ମା’ ସୋରାଦେବୀ’ ମନ୍ଦିର ନିକଟରୁ ଜଣେ ବ୍ୟକ୍ତି ଠାରୁ ୨୨ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ, ଦ୍ୱିତୀୟ ଅଭିଯାନରେ ଅନ୍ୟ ଜଣଙ୍କ ଠାରୁ ବୁଦୁଲି ଛକରୁ ୯ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଏହି ୨ଟି ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିନ୍ଦେରୀ ଗାଁ ର ଚିନ୍ତାମଣି ନାୟକ (୧୯) ଓ ଏହି ଥାନା ଅନ୍ତର୍ଗତ ବୁଡ୍ଡରୁକିଆ ର ରାହୁଲ ମଲିକ (୨୨) ଦୁଇ ଜଣଙ୍କୁ ଗିରଫ କରାଯାଇଛି।ଗଞ୍ଜେଇ ଚୋରା ଚାଲାଣ ରେ ନିୟୋଜିତ ହୋଇଥିବା ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି।
ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ବିଭୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment