ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ: ୫୦୦ ବର୍ଷ ତଳର ପ୍ରଥମ ସାମାଜିକ ବିପ୍ଳବ।

ବୋଲଗଡ଼,୨୬/୧୧(ପିପିଟି):ଆଜି ଆମେ ମଞ୍ଚରେ ଠିଆ ହୋଇ ଜାତିଭେଦ, ନାରୀ ମୁକ୍ତି ଆଉ ସମାନତାର ବଡ଼ ବଡ଼ ଭାଷଣ ଦେଉଛୁ। କିନ୍ତୁ ଭାବନ୍ତୁ ତ ଯେତେବେଳେ ସମାଜ ଅଛୁଆଁ ଶବ୍ଦରେ ବନ୍ଧା ଥିଲା, ମନ୍ଦିର ପ୍ରବେଶ ସ୍ୱପ୍ନ ଥିଲା, ସେତେବେଳେ ଜଣେ କବି ପୁରୀ ଶ୍ରୀମନ୍ଦିର ଭିତରେ ବସି ମନ୍ଦିର ବିରୁଦ୍ଧରେ କଲମ ଗର୍ଜନ କରିଥିଲେ। ସେ ଥିଲେ ପଞ୍ଚସଖାର ଅନ୍ୟତମ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଗୁରୁ, କବି ବଳରାମ ଦାସ। ଆଉ ତାଙ୍କ ହାତର ସେ କଲମ ହେଉଛି ଲକ୍ଷ୍ମୀ ପୁରାଣ। ଏହା କେବଳ ମାଣବସା ଗୁରୁବାରର ବ୍ରତ କଥା ନୁହେଁ। ଏହା ଥିଲା ଓଡ଼ିଆ ଜାତିର ପ୍ରଥମ ସାମାଜିକ ସଂସ୍କାର ଆନ୍ଦୋଳନ। ପ୍ରତି ଗୁରୁବାର ଓଡ଼ିଆଣୀ ପଢୁଥିବା ଏହି ପୁରାଣର ନାୟିକା କୌଣସି ରାଜକୁମାରୀ ନୁହଁନ୍ତି। ସେ ହେଲା ଶ୍ରିୟା ଜଣେ ଅଛୁଆଁ ଚଣ୍ଡାଳୁଣୀ। ଧନୀ ଘରର ବୋହୂମାନେ ଯେତେବେଳେ ମାଣବସା ବ୍ରତ ଭୁଲି ଯାଇଥିଲେ, ଶ୍ରିୟା ନିଷ୍ଠାରେ ଘର ଲିପିପୋଛି, ଝୋଟି ଦେଇ ମା’ ଲକ୍ଷ୍ମୀଙ୍କୁ ଡାକିଲା। ମା’ ଲକ୍ଷ୍ମୀ ବି ଜାତି ଦେଖିଲେନି, ସିଧା ଚାଲିଗଲେ ତା’ କୁଡିଆ ଘରକୁ।

ଆଉ ଏଠି ଆରମ୍ଭ ହେଲା ବିପ୍ଳବ। ପୁରୀ ମନ୍ଦିରରେ ଜଗନ୍ନାଥ ଆଉ ବଳଭଦ୍ର ରାଗିଗଲେ ତୁ ଚଣ୍ଡାଳ ଘରକୁ କାହିଁକି ଗଲୁ ? ଲକ୍ଷ୍ମୀ ସିଂହ ଗର୍ଜନ କରି କହିଲେ, ଭକ୍ତିରେ ଜାତି ନାହିଁ। ଅଭିମାନରେ ଜଗନ୍ନାଥ-ବଳରାମ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ବାହାର କରିଦେଲେ। ଲକ୍ଷ୍ମୀଙ୍କ ଅଭିଶାପରେ ଦୁଇ ଭାଇଙ୍କୁ ୧୨ ବର୍ଷ ଭିକାରୀ ହୋଇ ବୁଲିବାକୁ ପଡିଲା। ଶେଷରେ ଭୁଲ ବୁଝି ସେମାନେ ଶ୍ରିୟାକୁ ସାଥିରେ ନେଇ ଲକ୍ଷ୍ମୀଙ୍କୁ ଫେରାଇ ଆଣିଲେ। କିନ୍ତୁ ଏହି ଛୋଟ କାହାଣୀ ଭିତରେ ୪ଟି ବଡ଼ ସତ୍ୟ ଲୁଚି ରହିଛି। ୧୫୦୦ ମସିହାରେ ଯେତେବେଳେ ଅଛୁଆଁ ମନ୍ଦିର ଛାୟା ମାଡି ପାରୁ ନଥିଲା, ବଳରାମ ଦାସ ଲେଖିଲେ ଲକ୍ଷ୍ମୀ ନିଜେ ଚଣ୍ଡାଳ ଘରକୁ ଯାଆନ୍ତି। ଏହା ବ୍ରାହ୍ମଣ୍ୟବାଦ ଉପରେ ସିଧା ପ୍ରହାର ଥିଲା।,ଏହି ପୁରାଣର ନାୟକ ପୁରୁଷ ନୁହଁନ୍ତି। ଦୁଇ ଜଣ ନାରୀ ଲକ୍ଷ୍ମୀ ଓ ଶ୍ରିୟା। ଲକ୍ଷ୍ମୀ ନିଜ ସ୍ୱାମୀ ଜଗନ୍ନାଥଙ୍କୁ ବି ଛାଡି ନିଜ ସ୍ୱାଭିମାନ ପାଇଁ ଲଢ଼ିଲେ। ଏହା ସ୍ତ୍ରୀର ଆତ୍ମସମ୍ମାନର ଗାଥା, ଶ୍ରିୟା ଗରିବ ଥିଲା, କିନ୍ତୁ ନିଷ୍ଠା ଓ ପରିଶ୍ରମ ବଳରେ ସେ ଧନୀ ସ୍ତ୍ରୀମାନଙ୍କୁ ହରାଇଲା। ବଳରାମ କହିଲେ ଭକ୍ତି ଆଗରେ ଧନ, ଜାତି ସବୁ ଛୋଟ, ମାଣବସାର ମୂଳ ନିୟମ ହେଲା ଘର ଲିପାପୋଛା, ଝୋଟି ଚିତା। ପରିଷ୍କାର ରହିଲେ ହିଁ ଲକ୍ଷ୍ମୀ ଆସିବେ। ଆଜିର ସ୍ୱଚ୍ଛ ଭାରତର କଥା ୫୦୦ ବର୍ଷ ପୂର୍ବେ ସେ କହି ଯାଇଥିଲେ।

ତେଣୁ ବଳରାମ ଦାସ କେବଳ ଜଣେ କବି ନଥିଲେ, ସେ ଥିଲେ ଜଣେ ବିପ୍ଳବୀ। ଯିଏ ମନ୍ଦିର ଭିତରେ ଥାଇ ମନ୍ଦିରର ଅନ୍ଧ ପରମ୍ପରା ବିରୁଦ୍ଧରେ ଲେଖିବାର ସାହସ ରଖିଥିଲେ। ଆଜି ବି ଯେତେବେଳେ ବୋଲଗଡ଼ର କୌଣସି ଗରିବ ଘରେ ମା’ ଝିଅ ମାଣବସା ପୁରାଣ ପଢନ୍ତି, ସେତେବେଳେ ସେହି ଶ୍ରିୟା ଆଜି ବି ଜୀବନ୍ତ ହୋଇ ଉଠେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment