ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷଣ ଶିବିର ।

ଚିକିଟି, ୨୬/୧୧(ପିପିଟି): ଓଡ଼ିଶା ସରକାର ତଥା ସମଗ୍ର ଶିକ୍ଷା, ଗଞ୍ଜାମ ଙ୍କ ମିଳିତ ଆନୁକୂଲ୍ୟରେ ଦିବ୍ୟା ଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ ଡାକ୍ତରୀ ପରୀକ୍ଷଣ ଶିବିର ଆଜି ଚିକିଟି ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାରଙ୍କ ଅଧିନ କୃତ୍ରିମ ଅଙ୍ଗ ନିର୍ମାଣକାରୀ ସଂସ୍ଥା ଓ ଏ. ଆର୍. ସି, ପାଲୁର ହିଲ୍, ରଙ୍ଗେଇଲୁଣ୍ଡାର ଡାକ୍ତର ଓ ସହଯୋଗୀ ଦଳ ଉପସ୍ଥିତ ସମସ୍ତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ କରିବା ସହିତ ସେମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରିଥିଲେ। ବ୍ଲକର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରୁ ମୋଟ ୯୩ ଜଣ ଛାତ୍ରଛାତ୍ରୀ ନିଜ ନିଜର ପିତାମାତା/ ଅଭିଭାବକଙ୍କ ସହ ଆସି ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ମୋଟ ୭୫ ଜଣ ଶିକ୍ଷାର୍ଥୀଙ୍କୁ ବିଭିନ୍ନ ଉପକରଣ ଯଥା – ଟ୍ରାଇ ସାଇକେଲ, ହ୍ବିଲ୍ ଚେୟାର, ରୋଲେଟର, ଆଶାବାଡ଼ି, ସ୍ୱତନ୍ତ୍ର ଯୋତା, ସ୍ୱତନ୍ତ୍ର ଚୌକି, ଶ୍ରବଣ ଯନ୍ତ୍ର, ବ୍ରେଲ କିଟ୍ ଆଦି ପରବର୍ତ୍ତୀ ସମୟରେ ଯୋଗାଇ ଦିଆଯିବ ବୋଲି ଜଣା ପଡ଼ିଥିଲା। ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ବି ଆର୍ ସି ସି ତ୍ରିନାଥ ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମେଘନାଥ ବେହେରା, ନାୟକ ସେଠୀ ଓ ଚିକିଟି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସମସ୍ତ ସି ଆର୍ ସି, ଅନ୍ତର୍ଣିବେଶି ଶିକ୍ଷା ସ୍ଵେଚ୍ଛାସେବୀ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସମ୍ବଳ ଶିକ୍ଷକ ପ୍ରସନ୍ନ କୁମାର ବେହେରା ଓ ତାରା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Comments (0)
Add Comment