ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ବିଦ୍ୟୁତ୍ ଓ ପାଣି ଅଭାବରୁ ଅଚଳ ନୂତନ କୋଠା ।

କୋଦଳ,୧୬/୧୧(ପିପିଟି): ସରକାର ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ନାନା ସମସ୍ୟା। ଡାକ୍ତରଙ୍କ ଅନିୟମିତତା, କର୍ମଚାରୀ ଅଭାବ ଏବଂ ଭିତ୍ତିଭୂମିର ଅବ୍ୟବସ୍ଥା ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ, ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏମବିବିଏସ୍‌ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଲାବୋରେଟୋରୀ ଟେକ୍ନିସିଆନ୍‌, ଜଣେ ଆଟେଣ୍ଡାଣ୍ଟ, ଜଣେ ସୁଇପର, ଜଣେ ସୁରକ୍ଷାକର୍ମୀ ଏବଂ ଜଣେ ଅଫିସ୍‌ ଏଏନଏମ୍‌ ରହିବା କଥା। କିନ୍ତୁ ଦୁଇ ଜଣ ଡାକ୍ତର ନିଯୁକ୍ତ ଥିବା ସତ୍ତ୍ୱେ ଏମବିବିଏସ୍‌ ଡାକ୍ତରଙ୍କ ଉପସ୍ଥିତି ଓ କାର୍ଯ୍ୟ ସମୟକୁ ନେଇ ପ୍ରଶ୍ନ ଉଠୁଛି। ଫଳରେ ମୁଖ୍ୟତଃ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ରୋଗୀସେବା। ଏମ୍‌ବିବିଏସ୍‌ ଡାକ୍ତର କେତେବେଳେ ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି, ତାହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନଥିବା ଅଭିଯୋଗ ହେଉଛି। ଏହା ସହିତ ଆଟେଣ୍ଡାଣ୍ଟ ଓ ଏଏନ୍‌ଏମ୍‌ ପଦବୀ ଖାଲି ପଡ଼ିଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠା ହସ୍ତାନ୍ତର ହୋଇସାରିଥିଲେ ମଧ୍ୟ ତାହା ଏଯାବତ୍‌ କାର୍ଯ୍ୟରେ ଲାଗିପାରୁନାହିଁ। କାରଣ ନୂତନ କୋଠାକୁ ବିଦ୍ୟୁତ୍‌ ସଂଯୋଗ ଓ ଜଳ ଯୋଗାଣର ସୁବିଧା କରାଯାଇନାହିଁ। ଫଳରେ ନିର୍ମାଣ ସରିବା ପରେ ମଧ୍ୟ କୋଠାଟି ଅବ୍ୟବହୃତ ହୋଇ ପଡ଼ିରହିଛି। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ଏହି କୋଠା ରୋଗୀଙ୍କ କାମରେ କେବେ ଲାଗିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବେଗୁନିଆପଡ଼ା, ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ, କେ. ବରିଡ଼ା ଓ ଖଣ୍ଡିଆନଈ ଆଦି ପାଞ୍ଚଟି ଗ୍ରାମ ପଞ୍ଚାୟତର ଲୋକେ ନିର୍ଭରଶୀଳ। ଏତେ ବ୍ୟାପକ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟସେବା ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏଭଳି ଅବ୍ୟବସ୍ଥା ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି। ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଡାକ୍ତରଙ୍କ ନିୟମିତ ଉପସ୍ଥିତି ସୁନିଶ୍ଚିତ କରିବା ସହ ଖାଲି ପଡ଼ିଥିବା ପଦବୀ ପୂରଣ ଏବଂ ନୂତନ କୋଠାକୁ ବିଦ୍ୟୁତ୍‌ ଓ ଜଳ ସଂଯୋଗ ଯୋଗାଇ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment