ହୀରାକୁଦ ଇକୋ-ରିଟ୍ରିଟ୍ ୨୦୨୬-୨୭’ର ଶୁଭାରମ୍ଭ ।

ହୀରାକୁଦ ୧୬/୧୧: ସମ୍ବଲପୁର ଜିଲ୍ଲାର ଜମାଦାରପାଲି ନିକଟସ୍ଥ ବଲବସପୁରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ‘ହୀରାକୁଦ ଇକୋ-ରିଟ୍ରିଟ୍ ୨୦୨୬-୨୭’ର ସପ୍ତମ ସଂସ୍କରଣ ଆଜି ଶୁଭାରମ୍ଭ ହୋଇଯାଇଛି। ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଆସନ୍ତା ୧୨୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ ରହଣି ପାଇଁ ୨୦ଟି ପ୍ରିମିୟମ୍ ଟେଣ୍ଟ ଓ ୩୦ଟି ଡିଲକ୍ସ ଟେଣ୍ଟ ସମେତ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ, ବ୍ୟାଡମିଣ୍ଟନ, ଭଲିବଲ୍, ତୀରନ୍ଦାଜୀ, ରାଇଫଲ୍ ସୁଟିଂ, ଏଟିଭି (ATV) ରାଇଡ୍, ଜଳକ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ଏଠାରୁ ଦେବ୍ରିଗଡ଼ ଅଭୟାରଣ୍ୟ, ହୀରାକୁଦ ବନ୍ଧ ଏବଂ ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିପାରିବେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସଂଗ୍ରାମ କେଶରୀ ମହାପାତ୍ର (ଭା.ପ୍ର.ସେ) ଯୋଗଦେଇ ଓଡ଼ିଶାର ଆର୍ଥିକ, ଐତିହାସିକ, ପୌରାଣିକ ଏବଂ ପର୍ଯ୍ୟଟନ ବିକାଶରେ ମହାନଦୀର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ବିଗତ ବର୍ଷଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଗତ ବର୍ଷ ଏହା ୫୪.୦୪ ପ୍ରତିଶତରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ଯୁବ ଉଦ୍ୟୋଗୀଙ୍କୁ ସାମିଲ କରିବା ସହ ସମ୍ବଲପୁରର ଗୌରବମୟ ଇତିହାସ, ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଏବଂ ସ୍ଥାନୀୟ ସାହିତ୍ୟ ସମ୍ପର୍କିତ ପୁସ୍ତକ ପ୍ରତ୍ୟେକ କକ୍ଷରେ ରଖିବା ପାଇଁ ଆୟୁକ୍ତ ପରାମର୍ଶ ଦେଇଛନ୍ତି। ସମ୍ବଲପୁରର ପର୍ଯ୍ୟଟନ ଶିଳ୍ପକୁ ଆହୁରି ସମୃଦ୍ଧ କରିବା ପାଇଁ ବାହାର ଅତିଥିମାନଙ୍କୁ ଆକୃଷ୍ଟ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ମାନ୍ୟବର ସମ୍ବଲପୁର ସାଂସଦଙ୍କ ଲୋକପ୍ରତିନିଧି ନାଉରୀ ନାୟକ , ମାନ୍ୟବର ବିଧାୟକ ସମ୍ବଲପୁର ଙ୍କ ପ୍ରତିନିଧି ସୁଶ୍ରୀ ଶୁଭଶ୍ରୀ ମିଶ୍ର ଏବଂ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୁକେଶ ଭାମୂ(ଭା. ପୁ.ସେ) ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment