ଗଳ୍ପ ସଂକଳନ ‘ଅଧା ଅଧୁରା ଜୀବନ’ ଲୋକାର୍ପିତ ।

​ଭୁବନେଶ୍ୱର ,୧୬/୧୧(ପିପିଟି): ଲେଖିକା ତଥା କବୟିତ୍ରୀ ଚିନ୍ମୟୀ ଚାନ୍ଦଙ୍କ ରଚିତ ପ୍ରଥମ ଗଳ୍ପ ସଂକଳନ “ଅଧା ଅଧୁରା ଜୀବନ” ଆଜି ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଏକ ଭବ୍ୟ ସାରସ୍ୱତ ସମାରୋହରେ ଲୋକାର୍ପିତ ହୋଇ ଯାଇଛି। ନୀଳମଣି ସ୍ମୃତି ସଂସଦ, ଭଦ୍ରକ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମଞ୍ଚାସୀନ ଅତିଥିମାନଙ୍କ କରକମଳରେ ପୁସ୍ତକଟିର ଶୁଭ ଉନ୍ମୋଚନ କରା ଯାଇଥିଲା। ଏହି ଗଳ୍ପ ସଂକଳନଟି ସାଧାରଣ ମଣିଷର ଦୈନନ୍ଦିନ ଜୀବନର ଅକୁହା କଥା ଓ ବାସ୍ତବବାଦୀ ଚିତ୍ରଣକୁ ନେଇ ଗତିଶୀଳ।
​ସନ୍ଧ୍ୟା ୬ ଘଟିକାରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ପର୍ବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାଗ୍ମୀ, ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଅନ୍ୟ ଅତିଥିଙ୍କ ଗହଣରେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିବା ସହ ଲେଖିକାଙ୍କ ସୃଜନଶୀଳତାର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରକ୍ଷକ ନାୟକ ଯୋଗଦେଇ “ଅଧା ଅଧୁରା ଜୀବନ” ସଂକଳନର ଗଳ୍ପଗୁଡ଼ିକ ସମକାଳୀନ ଓଡ଼ିଆ କଥା ସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତବ୍ୟକ୍ତ କରିଥିଲେ।
​ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡ. ଦେବାଶିଷ ମହାପାତ୍ର ପୁସ୍ତକଟିର ସାରଗର୍ଭକ ସମୀକ୍ଷା କରିବା ସହ ଗଳ୍ପଗୁଡ଼ିକର ଶୈଳୀ ଓ ଚରିତ୍ର ଚିତ୍ରଣ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ରାଜ୍ୟ ସୂଚନା କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଦିପ୍ତୀମୟୀ ମହାପାତ୍ର ଉପସ୍ଥିତ ରହି ପୁସ୍ତକର ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ତଥା ବ୍ୟଙ୍ଗକାର ଶ୍ରୀଯୁକ୍ତ ସରୋଜ କୁମାର ଶତପଥୀ ପୁସ୍ତକଟିର ସରଳ ଓ ହୃଦୟସ୍ପର୍ଶୀ ଭାଷା ପାଠକଙ୍କ ମନକୁ ନିଶ୍ଚୟ ଛୁଇଁପାରିବ ବୋଲି ମତବ୍ୟକ୍ତ କରିଥିଲେ। ଲେଖିକାଙ୍କ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି ଗଳ୍ପଗୁଡ଼ିକୁ ବେଶ୍ ଜୀବନ୍ତ କରିପାରିଛି ବୋଲି ସେ ପ୍ରଶଂସା କରିଥିଲେ।
​ପୂର୍ବରୁ ଅପରାହ୍ନ ୪ ଘଟିକାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା। ୧୦୦ ରୁ ଉର୍ଦ୍ଧ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରି ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପାଇଥିଲେ। କବିତା  ସଂଯୋଜନାରେ ଗୋଧୂଳୀର ସମ୍ପାଦିକା କବି ବିମଳା ସିଂହ, ଶ୍ରୀକାନ୍ତ ପଣ୍ଡା,ବୀଣାପାଣି ଚୌଧୁରୀ,କଣ୍ଡୁରୀ ଚରଣ ନାୟକ ଏବଂ ଅଂଶୁମାନ ସାହୁ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନର ସଦସ୍ୟା ହିରଣ୍ମୟୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ କମଳାକାନ୍ତ ଘଡ଼ାଇ ଧନ୍ୟବାଦ ଅର୍ପଣ କରିଥିଲେ। କବି ଅଂଶୁମାନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାବୃନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Comments (0)
Add Comment