ନିଶା ନେଲା ଶିଶୁକନ୍ୟାର ଜୀବନ ।

ଅମର୍ଦ୍ଦାରୋଡ଼,୨୧/୦୫: ବାଲେଶ୍ବର ଜିଲା, ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଡ଼ାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାଶକ୍ତ ବାପା ଓ ମାଆଙ୍କ କଳିରେ ଜଣେ ନିରୀହ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ସୂଚନା ଅନୁସାରେ ଗ୍ରାମର ଦୁଇ ଆଦିବାସୀ ଦମ୍ପତି ଧିରେନ ସିଂ ଓ ଦେବୀ ବିଭିନ୍ନ ସମୟରେ ନିଶା ସେବନ କରି କଳିକଜିଆ ଆଦି କରିଆସୁଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ଦୁହେଁ ନିଶାରେ ଚୁର ଥାଇ କଳିକଜିଆ ଲାଗି ଘରେ ଶୋଇଥିଲେ। ଏହି ସମୟରେ ମାତ୍ର ୪୦ ଦିନର ଶିଶୁକନ୍ୟାଟି ମା’ ଠାରୁ କ୍ଷୀର ପିଇବା ପାଇଁ ରାତି ପ୍ରାୟ ୧୦ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ କାନ୍ଦ ଛାଡ଼ିଥିଲା। ପୋଡ଼ଶୀ ମହିଳା ଜଣକ ଶିଶୁକନ୍ୟାଟିର କ୍ରନ୍ଦନ ଶୁଣି ଧୀରେନଙ୍କ ଘରେ ପହଞ୍ଚିବାରୁ ଦେବୀ ନିଶାରେ ନିଜର ଗୋଡ଼କୁ ଶିଶୁକନ୍ୟା ଉପରେ ଲଦିଥିବାର ଦେଖିବାକୁ ପାଇଥିଲେ। ସେ ଦେବୀଙ୍କୁ ଉଠାଇ ପିଲାକୁ ସ୍ତନ୍ୟପାନ କରାଇବାକୁ କହି ସେଠାରୁ ପଳାଇ ଆସିଥିଲେ। ମାତ୍ର ସକାଳେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଥାନାଧିକାରୀ ସୌମ୍ୟଚିତ ମିଶ୍ର ସେଠାରେ ପହଞ୍ଚି ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ରେମୁଣା ମେଡ଼ିକାଲ କଲେଜକୁ ପଠାଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ୮୮/୨୬ ମୂଳେ ଏକ ମାମଲା ରୁଜୁ କରି ବାପା ଓ ମାକୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ତେବେ ଦେବୀ ଗୋଡ଼ ଲଦିବା ଯୋଗୁ ଅଣନିଶ୍ବାସୀ ହୋଇ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥାଇପାରେ ବୋଲି ଲୋକେ ସନ୍ଦେହ କରିଛନ୍ତି।

Comments (0)
Add Comment