ରାଉରକେଲା,୨୫/୧୦ : ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଜଙ୍ଗଲାଞ୍ଚଳରେ ବେଆଇନ ନିଶାଦ୍ରବ୍ୟ ଚାଷ ରୋକିବାକୁ ବନ ବିଭାଗ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି। ବଣାଇଁ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଓ ଅଫିମ ଚାଷର ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରିବା ପାଇଁ ଡ୍ରୋନ୍ର ସହାୟତା ନିଆଯାଉଛି। ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ଆକାଶମାର୍ଗରୁ ନଜର ରଖି ବେଆଇନ ଚାଷ ଠାବ କରିବାକୁ ବନ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ଏହି ଅଞ୍ଚଳରେ ଅନ୍ତଃରାଜ୍ୟ ନିଶା ମାଫିଆଙ୍କ ନେଟୱର୍କ ସକ୍ରିୟ ଥିବା ନେଇ ଚିନ୍ତା ପ୍ରକାଶ ପାଇବା ପରେ ବିଭାଗୀୟ ତତ୍ପରତା ବଢ଼ିଛି।
ସୂଚନା ଅନୁଯାୟୀ, ବଣାଇଁ ଉପଖଣ୍ଡର ଲହୁଣିପଡ଼ା, ଗୁରୁଣ୍ଡିଆ ଓ କୋଇଡ଼ା ଅଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିପୁଳ ପରିମାଣରେ ଅଫିମ ଚାଷ ହେବା ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା। ଗତ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ପଙ୍କଡିହି, ପୁଣ୍ଡୁପୋଖରୀ ଓ ନୂଆତନ୍ତରା ସଂରକ୍ଷିତ ଜଙ୍ଗଲରେ ଏକର ଏକର ଜମିରେ ଅଫିମ ଚାଷ ଠାବ ହୋଇଥିଲା। ପରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗର ମିଳିତ ଅଭିଯାନରେ ଏହି ଚାଷ ନଷ୍ଟ କରାଯାଇଥିଲା। ଏହି ଘଟଣାରେ ଝାଡ଼ଖଣ୍ଡ ଅଞ୍ଚଳର ଦୁଇଜଣ ଶ୍ରମିକ ଧରାପଡ଼ିଥିଲେ। ତେବେ ଏହା ପଛରେ ଥିବା ମୁଖ୍ୟ ମାଫିଆଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ଜଣାପଡ଼ିଥିଲା। ସେହି ଅଭିଯାନରେ ନଷ୍ଟ ହୋଇଥିବା ଅଫିମ ଚାଷର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା।
ଅଭିଯୋଗ ଅନୁସାରେ, ଝାଡ଼ଖଣ୍ଡର କେତେକ ନିଶା ମାଫିଆ ସ୍ଥାନୀୟ ଲୋକଙ୍କ ସରଳତାର ସୁଯୋଗ ନେଇ ଦୁର୍ଗମ ଅଞ୍ଚଳରେ ଜମି ହାସଲ କରି ବେଆଇନ ଚାଷ କରୁଛନ୍ତି। ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଚାରା ଉତ୍ପାଦନ, ରୋପଣ ଓ ଫସଲ ଅମଳ ପର୍ଯ୍ୟନ୍ତ ଏକ ସଂଗଠିତ ନେଟୱର୍କ କାମ କରୁଥିବା ସନ୍ଦେହ କରାଯାଉଛି। ବର୍ଷା ଋତୁ ଶେଷ ହେବା ପରେ, ବିଶେଷକରି ଅକ୍ଟୋବର ଶେଷ ଆଡ଼କୁ ଏହି ଅଞ୍ଚଳରେ ଚାଷ ପାଇଁ ଜମି ପ୍ରସ୍ତୁତି ଓ ଚାରା ରୋପଣ ଆରମ୍ଭ ହେଉଥିବା ନେଇ ସୂଚନା ରହିଛି। ଏବେ ଅଫିମ ଚାଷ ସହ ଗଞ୍ଜେଇ ଚାଷ କରିବାକୁ ମଧ୍ୟ ନିଶା ମାଫିଆମାନେ ଉଦ୍ୟମ କରୁଥିବା ଆଶଙ୍କା କରାଯାଉଛି।
ବେଆଇନ ନିଶାଦ୍ରବ୍ୟ ଚାଷରୁ ବିପୁଳ ଆର୍ଥିକ ଲାଭ ମିଳୁଥିବାରୁ ଏହି କାରବାରରେ ସମ୍ପୃକ୍ତ ଗୋଷ୍ଠୀମାନେ ଦୁର୍ଗମ ଜଙ୍ଗଲକୁ ବାଛୁଥିବା କୁହାଯାଉଛି। ଘଞ୍ଚ ଜଙ୍ଗଲ, ଯୋଗାଯୋଗର ଅଭାବ ଓ ଦୁର୍ଗମ ଭୌଗୋଳିକ ସ୍ଥିତି ଯୋଗୁଁ ଏଭଳି ଚାଷ ଠାବ କରିବା ଏବଂ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ତଦନ୍ତକାରୀ ସଂସ୍ଥା ପାଇଁ ଚ୍ୟାଲେଞ୍ଜ ହୋଇଛି। ଏହି ପରିସ୍ଥିତିରେ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣକୁ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରାଯାଇଛି।
ବେଆଇନ ଚାଷ ଠାବ କରିବା ସହ ଏହା ପଛରେ ଥିବା ଅନ୍ତଃରାଜ୍ୟ ନେଟୱର୍କକୁ ଚିହ୍ନଟ କରିବା ଏବଂ ଜଙ୍ଗଲ ଜମିର ଅପବ୍ୟବହାର ରୋକିବା ଉପରେ ବନ ବିଭାଗ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ପୋଲିସ ଓ ଅବକାରୀ ବିଭାଗ ସହ ସମନ୍ୱୟ ରଖି ଅଭିଯାନକୁ ଅଧିକ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି। ବଣାଇଁ ଅଞ୍ଚଳର ଜଙ୍ଗଲ ଓ ସ୍ଥାନୀୟ ଜନଜୀବନକୁ ବେଆଇନ ନିଶା କାରବାରରୁ ସୁରକ୍ଷିତ ରଖିବା ଏବେ ପ୍ରଶାସନ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି।