ଲୁହା ରଡରେ ପିଟି ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ।

ଯାଜପୁର, ୨୫/୧୦(ପିପିଟି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବଞ୍ଜା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଲୁହା ରଡ୍ରେ ଆକ୍ରମଣ କରି ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ମୃତ ମହିଳା ହେଉଛନ୍ତି ସହରୁଣୀ ମଲିକ। ଅଭିଯୁକ୍ତ ସ୍ୱାମୀ ମଦନ ମଲିକଙ୍କୁ ମଧ୍ୟ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ମଦନ କିଛି ଦିନ ଧରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଔଷଧ ସେବନ କରୁଥିଲେ। ପ୍ରାୟ ୬ରୁ ୭ ଦିନ ହେବ ତାଙ୍କ ଔଷଧ ସରିଯାଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ସେ ନିଜ ସ୍ତ୍ରୀ ସହରୁଣୀଙ୍କୁ ଏକ ଲୁହା ରଡ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସହରୁଣୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁକିନ୍ଦା ଡାକ୍ତରଖାନାକୁ ନେଇଥିଲେ। ତେବେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ଘଟଣା ପରେ ମଦନ ମଧ୍ୟ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହରୁଣୀଙ୍କ ମୃତଦେହ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି।

Comments (0)
Add Comment