୮୦ ତମ ସ୍ୱାଧୀନତା ଦିବସରେ ମେଧା ସମ୍ମାନ।

ପୋଲସରା ,୧୬/୦୮(ପିପିଟି) :ପୋଲସରା ବ୍ଲକ୍ ବେଲଗାଁ ଗ୍ରାମ ପଞ୍ଚାୟତ ସ୍ଥିତ କନକଦୁର୍ଗା ବିଦ୍ୟାପୀଠ ମଧୁସୂଦନ ପୁରଠାରେ ବହୁ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଦେଶ ସାଧୀନ ହେବାର ୮୦ ତମ ବର୍ଷ ପୂର୍ତ୍ତି ସ୍ୱାଧୀନତା ଦିବସ ଭାବେ ପାଳିତ ହୋଇଥିଲା। ପ୍ରଥମେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତା ବିଷୋୟୀଙ୍କ ଦ୍ୱାରା ସାମ୍ବିଧାନିକ ନିୟମ ପ୍ରକାରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ସାମୁହିକ ଜାତୀୟ ସଙ୍ଗୀତ ଜନ-ମନ-ଗଣ ଗାନ, ଶ୍ଳୋଗାନ, ସ୍ୱାଉଟ ଓ ଗାଇଡ୍ସଙ୍କ ଦ୍ୱାରା ମାର୍ଚ୍ଚପାଷ୍ଟ ଏବଂ ଅତିଥିବୃନ୍ଦଙ୍କ ଅଭିଭାଷଣ ସହିତ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ପରେ ଏକ ପୁରସ୍କାର ବିତରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପାତ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ବର୍ତ୍ତମାନ ଜିଲ୍ଲା ସ୍ୱାସ୍ଥ୍ୟ ସ୍କାଉଟ କମିଶନର ବିକ୍ରମ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ପ୍ରଜ୍ଞା ପରମିତା ସାହୁ ଓ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସମ୍ପାଦକ (ଓୟୂଜେ)ର ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଦିବସର ଅନୁଚିନ୍ତା ଏବଂ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବା ସହିତ କଠିନ ପରିଶ୍ରମ ଦ୍ୱାରା ଭଲ ଶିକ୍ଷା ଆହରଣ କରି ସମାଜରେ ଜଣେ ଜଣେ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପବିତ୍ର ସ୍ୱାଧୀନତା ଦିବସକୁ ନେଇ ଅନୁଷ୍ଠିତ ପ୍ରବନ୍ଧ,ବକୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତିତ୍ୱ ପ୍ରତିଯୋଗି ୧୨ ଜଣ ଛାତ୍ର ଛାତ୍ରୀଙ୍କୁ “ଦକ୍ଷତା ପ୍ରମାଣ ପତ୍ର” ସହିତ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭାବେ ଗତ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ୧୦ ମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖ୍ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ରୁଦ୍ର ନାରାୟଣ ସାହୁଙ୍କୁ ଏବଂ ଛାତ୍ରୀ ସ୍ମିତା ରାଣୀ ମିଶ୍ର ଉଭୟଙ୍କୁ ଅନୁଷ୍ଠାନ ତରଫରୁ “ଲାବଣ୍ୟ ପାତ୍ର ସ୍ମାରକୀ ମେଧା ସମ୍ମାନ” ସହିତ “ରମେଶ ଚନ୍ଦ୍ର ମିଶ୍ର ସ୍ମାରକୀ ମେଧା ସମ୍ମାନ” ସହିତ ୯ମ ଶ୍ରେଣୀର ଛାତ୍ର ସୁବ୍ରତ କୁମାର ବଡୁଙ୍କୁ “ଡ. ପ୍ରାଚୀ ପ୍ରଭା ସାହୁ ମେଧା ସମ୍ମାନ” ପ୍ରଶ°ସାପତ୍ର ସହିତ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। ସଭାକାର୍ଯ୍ୟ ସଂଯୋଜନା ଶିକ୍ଷକ ଅଜିତ ଦଳାଇ କରିଥିବା ବେଳେ ସ୍ୱାଗତ ସଂଗୀତ ନୃତ୍ୟାଭିମୟ ମାଧ୍ୟମରେ ଛାତ୍ରୀମାନେ ପରିବେଷଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment