ଜନସେବା କେନ୍ଦ୍ର ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ଦୁଇ ଭାଇ ଗିରଫ ।

ଜଗତସିଂହପୁର, ୧୮/୧୦: ଜନସେବା କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରିଛି ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର ପୁଲିସ। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୃଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ଆଖୁନ ମହଲ୍ଲାର ସେକ୍ ଆବୁ ସୋଫିଆନ ଓ ସେକ୍ ଆବୁ କଲାମ ୟୁସୁଫ। ଅଭିଯୋଗ ଅନୁଯାୟୀ, ଉଭୟ ଅଭିଯୁକ୍ତ ‘ସହଜ ଜନସେବା କେନ୍ଦ୍ର’ ମାଧ୍ୟମରେ ଗ୍ରାହକମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବା ବାହାନାରେ ସେମାନଙ୍କ ଆଙ୍ଗୁଠି ଛାପ ଓ ଓଟିପି ବ୍ୟବହାର କରି ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ କରୁଥିଲେ।
ଗ୍ରାହକମାନେ ନିଜ ଖାତାରୁ ଟଙ୍କା କଟିଥିବା ଜାଣିବା ପରେ ଏହି ଠକେଇ ସମ୍ପର୍କରେ କୃଷ୍ଣାନନ୍ଦପୁର ଥାନା ଓ ଜଗତସିଂହପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ଓ ଏସ୍ଡିପିଓ ଅଜୟ କୁମାର ଦାସଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ତଦନ୍ତ ପରେ ପୁଲିସ ଟିମ୍ କଟକରୁ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି ବୋଲି ତିର୍ତ୍ତୋଲ ଏସ୍ଡିପିଓ ସୂଚନା ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତଦ୍ୱୟଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ପୁଲିସ ଫ୍ରିଜ୍ କରିଛି। ଠକେଇର ପରିମାଣ, ଟଙ୍କା କାରବାର ଓ ଅନ୍ୟ କେହି ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ସାଇବର ଠକେଇରୁ ସତର୍କ ରୁହନ୍ତୁ: ଜନସେବା କେନ୍ଦ୍ର କିମ୍ବା ଅନ୍ୟ କୌଣସି ଅନଲାଇନ୍ ସେବା ନେବା ସମୟରେ ନିଜ ବ୍ୟାଙ୍କ ଖାତାର ବିବରଣୀ, ଓଟିପି ଓ ବାୟୋମେଟ୍ରିକ୍ ତଥ୍ୟର ସୁରକ୍ଷା ପ୍ରତି ସଚେତନ ରହିବା ଆବଶ୍ୟକ। ସନ୍ଦେହଜନକ ଆର୍ଥିକ କାରବାର ଦେଖିବାକୁ ମିଳିଲେ ତୁରନ୍ତ ବ୍ୟାଙ୍କ ଓ ପୁଲିସକୁ ଜଣାଇବା ଉଚିତ।

Comments (0)
Add Comment