ଦିଶାହୀନ ରାଜନୀତି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କୋଦଳା ଏନ୍ଏସିର ବିକାଶ ବାଧାପ୍ରାପ୍ତ ।

କୋଦଳା,୧୮/୧୦(ପିପିଟି): ବିକାଶ ନା ବିନାଶ, ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ,ପୁଣି ନିର୍ମାଣକୁ ଭାଙ୍ଗିବାର ପାଳି । ଗଞ୍ଜାମ ଜିଲ୍ଲା କୋଦଳା ଏନ୍‌ଏସି ମାର୍କେଟ ବିଲ୍ଡିଂ ପରିସରରେ ୱାଚ୍‌ ଟାୱାର ଭଙ୍ଗାଯିବା ଓ ଭେଣ୍ଡିଂ ଜୋନ୍‌ରେ ଭଙ୍ଗାରୁଜାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ଯଦି ନିର୍ମାଣ ସମୟରେ ଯୋଜନା ଓ ସ୍ଥାନ ଚୟନ ଠିକ୍‌ ଥିଲା, ତେବେ ଏବେ ଏହି ଭଙ୍ଗାରୁଜା କାହିଁକି କରାଗଲା ? ଆଉ ଯଦି ଭୁଲ୍‌ ଥିଲା, ତେବେ ଉତ୍ତରଦାୟୀ କିଏ ? ଜନତାଙ୍କ ଟିକସ ଅର୍ଥରେ ନିର୍ମାଣ ଓ ଭଙ୍ଗାରୁଜା କଣ ପାଇଁ ? ବିକାଶ ଓ ସ୍ବଚ୍ଛ ଶାସନର ଚକା ଚକା କଥା କହୁଥିବା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏବଂ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କରିତକର୍ମା କୃଷ୍ଣ ଚନ୍ଦ୍ର ରଥଙ୍କ କାର୍ଯ୍ୟଶୈଳୀକୁ ନେଇ ବାଦବିବାଦ ଲାଗିରହିଛି । ପ୍ରାୟ ୨୫ ଲକ୍ଷ ଟଙ୍କାର ୱାଚ୍‌ ଟାୱାରରୁ ଘଣ୍ଟା ଗାଏବ ହେବା ଏବଂ ପରେ ଟାୱାର ଭାଙ୍ଗିବା ଘଟଣାକୁ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ଓ ଅସନ୍ତୋଷ ବଢ଼ିଛି । ଅନ୍ୟପଟେ, ଭେଣ୍ଡିଂ ଜୋନ୍‌ ଭଙ୍ଗାଯିବା ଫଳରେ ଆଶାୟୀ ଗରିବ ଉଠାଦୋକାନୀଙ୍କ ସ୍ୱାର୍ଥ କେତେ ସୁରକ୍ଷିତ ରହିଛି, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ଉଠିଛି । ଦିଶାହୀନ ରାଜନୀତି,ଦୁର୍ନୀତି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କୋଦଳା ଏନ୍ଏସିର ବିକାଶ ବାଧାପ୍ରାପ୍ତ ହୋଇଛି ବୋଲି ସବୁଠି ଚର୍ଚ୍ଚା । କୋଦଳା ଏନ୍ଏସିରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ସବୁ ଜାଣି ଅନ୍ଧ ଭଳି ଚୁପଚାପ ବସିଛନ୍ତି । ଏନ୍ଏସିର ଦୁର୍ନୀତି ଓ ସମସ୍ୟା ଥିଲେ ମଧ୍ୟ ବିରୋଧିଦଳ ମଧ୍ୟ ଜଳକା ।

Comments (0)
Add Comment