ଶିଶୁ ଓ ପୋଷଣ ସେବାର ସମୀକ୍ଷା କଲେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ।

ମାଲକାନଗିରି, ୧୫/୦୭(ପିପିଟି):ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି। ଜୁଲାଇ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନି ଦିନିଆ ଗସ୍ତ ସମୟରେ ତାଙ୍କ ସହ ୟୁନିସେଫ୍‌ର ନ୍ୟୁଟ୍ରିସନ କନସଲଟାଣ୍ଟ ଅକ୍ଷୟ ଲିମାଲ ମଧ୍ୟ ଉପସ୍ଥିତ ଥିଲେ। ଗସ୍ତର ଶେଷ ଦିନରେ ଅତିରିକ୍ତ ସଚିବ ଖଇରପୁଟ ପ୍ରକଳ୍ପର ମୁଦୁଲିପଡ଼ା ସେକ୍ଟର ଅନ୍ତର୍ଗତ ଡୁମୁରିପଡ଼ା ଓ ବଡ଼ପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପ୍ରି-ସ୍କୁଲ କାର୍ଯ୍ୟକଳାପ, ପୋଷଣ ଟ୍ରାକର ତଥ୍ୟ ଏବଂ ଶିଶୁମାନଙ୍କ ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ଯାଞ୍ଚ କରିଥିଲେ। ଏହାସହ ସେ ଛତୁଆ ଉତ୍ପାଦନ କେନ୍ଦ୍ରର ଖାଦ୍ୟ ଗୁଣବତ୍ତା, ସ୍ୱଚ୍ଛତା ଓ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ।ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସମସ୍ତ ସିଡିପିଓ, ଲେଡି ସୁପରଭାଇଜର ଓ ବ୍ଲକ ପୋଷଣ କୋଅର୍ଡିନେଟରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗଦେଇ ଅତିରିକ୍ତ ସଚିବ ପ୍ରମୋଦ ସାହୁ କହିଛନ୍ତି କ୍ଷେତ୍ରସ୍ତରରେ ପ୍ରତ୍ୟେକ ଶିଶୁଙ୍କ ପାଖରେ ସରକାରଙ୍କ ପୋଷଣ ସେବା ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ୦ ରୁ ୬ ବର୍ଷ ବୟସର ସମସ୍ତ ଶିଶୁଙ୍କ ଉଚ୍ଚତା ଓ ଓଜନର ସଠିକ୍ ମାପ ନେବା ସହ ପୋଷଣ ଟ୍ରାକରରେ ସମୟାନୁବର୍ତ୍ତୀ ତଥ୍ୟ ଅପଲୋଡ୍ କରିବାକୁ ହେବ। ବିଶେଷ କରି ସାମ୍ , ମାମ୍ ଏବଂ କମ୍ ଓଜନ ବିଶିଷ୍ଟ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ନିୟମିତ ମନିଟରିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଯେପରି କୌଣସି ହିତାଧିକାରୀ ସେବାରୁ ବଞ୍ଚିତ ନହୁଅନ୍ତି।

ବୈଠକରେ ୟୁନିସେଫ୍ ନ୍ୟୁଟ୍ରିସନ କନସଲଟାଣ୍ଟ ଅକ୍ଷୟ ଲିମାଲ ଶିଶୁମାନଙ୍କ ସଠିକ୍ ଆନ୍ଥ୍ରୋପୋମେଟ୍ରିକ୍ ମାପ ଏବଂ ତଥ୍ୟର ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରି ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲୁଓ) ଅତିରିକ୍ତ ସଚିବ ଓ ୟୁନିସେଫ୍ ପ୍ରତିନିଧିଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇବା ସହ, ମିଳିଥିବା ସମସ୍ତ ନିର୍ଦ୍ଦେଶକୁ କ୍ଷେତ୍ରସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରି ଅଙ୍ଗନବାଡ଼ି ସେବାର ଗୁଣାତ୍ମକ ଉନ୍ନତି ଆଣିବାକୁ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment