ନୂତନ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ପ୍ରବେଶ ତାଲିମ ।

ପୋଲସରା, ୧୫/୧୦(ପିପିଟି): ବୁଗୁଡ଼ା ବ୍ଲକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ ବିଷୟରେ ତାଲିମ ପ୍ରଦାନ ଅନୁଷ୍ଠିତ ହୋଇ ଯାଇଛି। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ପ୍ରଫେସର ତଥା ରେଡକ୍ରସର ଆଜୀବନ ସଦସ୍ୟ ଲୋକନାଥ ମହାନ୍ତି ଏହି କାର୍ଯ୍ୟକ୍ରମରେ ସାଧନ ବ୍ୟକ୍ତିତ୍ୱ ଭାବେ ଯୋଗ ଦେଇ ପ୍ରଥମେ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ। ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ସ୍ଵେଛାସେବୀମାନଙ୍କୁ ଯୁବ ରେଡକ୍ରସର ଶପଥ ପାଠ କରାଇଥିଲେ। ଇଣ୍ଡକସନ ଟ୍ରେନିଂ ଆରମ୍ଭ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଶ୍ରୀ ପଣ୍ଡାଙ୍କ ସମେତ ଆଇଆରପିଏମ ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଚିତ୍ରା ପଣ୍ଡା, ଗ୍ରନ୍ଥଗାରା ରକ୍ଷକ ଅର୍ଚନା ମୁନି, ଶିକ୍ଷା ବିଭାଗ ଡେମୋନଷ୍ଟ୍ରେଟର ସଂଯୁକ୍ତା ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସାଧନ ବ୍ୟକ୍ତିତ୍ୱ ଶ୍ରୀ ମହାନ୍ତି ରେଡକ୍ରସର ପ୍ରତିଷ୍ଠାତା ସାର ଜନ ହେନେରୀ ଡୁନାଣ୍ଟଙ୍କ ଜୀବନୀ ସହ ତାଙ୍କରି ମାନବବାଦୀ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ବିଶ୍ୱର ୨୦୦ ରୁ ଅଧିକା ଦେଶରେ ରେଡ କ୍ରସ ଏକ ଆଗଧାଡିର ସେବା ସଂସ୍ଥା ଭାବରେ କାର୍ଯ୍ୟକରୁଛି। ରେଡ କ୍ରସର ମୁଖପତ୍ର, ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ, ମୌଳିକ ନୀତି, ଚି଼ହ୍ନ, ଆଇନଗତ ସଂରଚନା ତଥା ଏହାରି ମାଧ୍ୟମରେ ସାମାଜିକ ଦାୟିତ୍ୱବୋଧ ଓ ସେବାବ୍ରତୀ ର ଉତ୍ତର ଦାୟିତ୍ୱ ସମ୍ପର୍କରେ ବିସଦ ଆଲୋଚନା କରିଥିଲେ। ଏଥି ସହ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି -୨୦୨୬ ର ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଗୁରୁନାଥ ବିଷୋୟୀ (ସାଧାରଣ ଜ୍ଞାନରେ ପ୍ରଥମ), ଓ କ୍ରିଷ୍ଣା ବେହେରା (ଡିବେଟ ରେ ପ୍ରଥମ) ଏବଂ ବର୍ଷା ପୋଲାଈ (ସଙ୍ଗୀତ), ଲଷ୍ମୀପ୍ରିୟା ଗୌଡ଼ (ଚିତ୍ରାଙ୍କନ) ଓ ଇସ୍ରା ଜେନା (ପ୍ରବନ୍ଧ) ରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ ଯାଇଥିଲା। ଅଧ୍ୟାପିକା ଶ୍ରୀମତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ ସନ୍ତୋଷ କୁମାର ପଣ୍ଡା

Comments (0)
Add Comment