ପଥରରେ ଛେଚି ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ, ଅଟୋ ଲୁଟି ଫେରାର ଦୁର୍ବୃତ୍ତ ।

ବାଲେଶ୍ୱର, ୧୬/୧୦: ବାଲେଶ୍ୱର ସହରର ବାଲିଘାଟ ଓଭରବ୍ରିଜ୍ ନିକଟରେ ଜଣେ ଅଟୋ ଚାଳକଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରିବା ପରେ ତାଙ୍କ ଅଟୋ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ଗୁରୁତର ଆହତ ଅଟୋ ଚାଳକ ଜଣକ ହେଉଛନ୍ତି ହଳଦିପଦା ଅଞ୍ଚଳର ରବୀନ୍ଦ୍ର ବାରିକ। ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ପରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ରବୀନ୍ଦ୍ର ପ୍ରତିଦିନ ବାଲେଶ୍ୱର ସହରରେ ଅଟୋ ଚଳାଇ ରାତିରେ ଘରକୁ ଫେରନ୍ତି। ଗୁରୁବାର ବିଳମ୍ବିତ ରାତିରେ ସେ ବାଲିଘାଟ ଓଭରବ୍ରିଜ୍ ତଳେ ଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ପଥରରେ ଆକ୍ରମଣ କରିଥିଲେ। ଏଥିରେ ସେ ରକ୍ତାକ୍ତ ହୋଇ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ତାଙ୍କ ଅଟୋ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ବାଲେଶ୍ୱର ଟାଉନ୍ ଥାନା ପୁଲିସ ମାମଲା ରୁଜୁ କରିଛି। ଆକ୍ରମଣର କାରଣ ଓ ଏଥିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ଲୁଟ୍ ହୋଇଥିବା ଅଟୋ ଉଦ୍ଧାର ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Comments (0)
Add Comment