ଶିଶୁ ଉତ୍ସବରେ ଅଘଟଣ ।

ବୋଲଗଡ଼ , ୧୪/୧୧ (ପିପିଟି):ଯେଉଁଦିନ ସାରା ଦେଶ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଜନ୍ମ ଜୟନ୍ତୀରେ ଶିଶୁଙ୍କ ହସ ପାଇଁ ଶିଶୁ ଦିବସ ପାଳୁଛି, ସେହିଦିନ ବୋଲଗଡ଼ ମାଟିରେ ଜଣେ ଶିଶୁର କାନ୍ଦରେ କମ୍ପିଲା ସ୍କୁଲ ପରିସର।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡ଼ା ସ୍ଥିତ ଗଦାଧର ବାଞ୍ଛାନିଧି ଉଚ୍ଚ ବିଦ୍ୟାଳୟ। ଶିଶୁ ଦିବସର ବିଜ୍ଞାନ ପ୍ରଦର୍ଶନୀ। ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ବେହେରା ଓ ବିଜ୍ଞାନ ଶିକ୍ଷକଙ୍କ ନିର୍ଦ୍ଦେଶ ମାତ୍ର ଚତୁର୍ଥ ଶ୍ରେଣୀର ୯ ବର୍ଷର କୁନି ଛାତ୍ର ଶିବ ପ୍ରସାଦ ପ୍ରଧାନ (ପିତା- ବିଭୁତି ପ୍ରଧାନ, ଦଳେଇ ସାହି) ବଜାରକୁ ଯାଇ ପେଟ୍ରୋଲ ଆଣିବ। ଏଠି ପ୍ରଶ୍ନ ଉଠୁଛି ଜଣେ ନାବାଳକକୁ ଜ୍ୱଳନଶୀଳ ପଦାର୍ଥ ଆଣିବାକୁ ପଠାଇବା ପଛରେ କେଉଁ ବିଜ୍ଞାନ ଅଛି ? ଏହା ଶିକ୍ଷା ନା ଶିଶୁ ଶ୍ରମ ?

ଛାତ୍ର ଜଣକ ନିଜ ପ୍ରକଳ୍ପରେ ନିଆଁ ଲଗାଉଥିବା ବେଳେ ସେହି ପେଟ୍ରୋଲ ତା ଦେହକୁ ଲାଗିଗଲା। ୪୦% ଶରୀର – ପେଟ, ଦୁଇ ହାତ, ପିଠି, ଦୁଇ ଗାଲ ଜଳିଗଲା। ଏହି ସମୟରେ ଶିକ୍ଷକ କେଉଁଠି ଥିଲେ ? ବିଜ୍ଞାନ ପରୀକ୍ଷା ବେଳେ ଅଗ୍ନି ନିର୍ବାପକ, ପ୍ରାଥମିକ ଚିକିତ୍ସା, ଶିକ୍ଷକଙ୍କ ଉପସ୍ଥିତି ବାଧ୍ୟତାମୂଳକ ନୁହେଁ କି ? ଯଦି ଗୋଟିଏ ଶିଶୁ ନିଜେ ପେଟ୍ରୋଲ ଢାଳି ନିଆଁ ଲଗାଉଛି, ତେବେ ବିଜ୍ଞାନ ଶିକ୍ଷକଙ୍କ ଭୂମିକା କଣ ? ଘଟଣା ପରେ ଛାତ୍ରକୁ ସ୍ଥାନୀୟ ଯୁବକ ଓ କିଛି ଶିକ୍ଷକ ବୋଲଗଡ଼ CHC ଓ ପରେ AIIMS ଭୁବନେଶ୍ୱରକୁ ନେଇଛନ୍ତି। ତାର ଅବସ୍ଥା ଗୁରୁତର। କିନ୍ତୁ ଏତେ ବଡ ଅଘଟଣ ପରେ ବି ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୁହଁରେ ତାଲା କାହିଁକି ? ଅଭିଭାବକଙ୍କୁ କ୍ଷମା ମାଗିବା ବଦଳରେ ନୀରବ ରହିବା କେଉଁ ଶିକ୍ଷା ନୀତି ?

ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବୋଲଗଡ଼ ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ, ଗୋଡଭଙ୍ଗା ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଦ୍ୱିତୀୟ ଅଧିକାରୀ ଉମାକାନ୍ତ ନାୟକ ପହଞ୍ଚି ପରିସ୍ଥିତି ସମ୍ଭାଳିଛନ୍ତି। ରିପୋର୍ଟ ଲେଖାଯାଏଁ ପରିବାର ପକ୍ଷରୁ ଏତଲା ଦିଆଯାଇ ନାହିଁ।

ଏଠି ଗୋଟିଏ ଶିଶୁ ପୋଡି ହୋଇ ହସ୍ପିଟାଲରେ ଛଟପଟ ହେଉଛି, ସେପଟେ ପ୍ରଶ୍ନ ଛାଡି ଗଲା ଶିଶୁ ଦିବସରେ ଶିଶୁର ସୁରକ୍ଷା କେଉଁଠି ? ପେଟ୍ରୋଲରେ ବିଜ୍ଞାନ ଶିଖିବା କେଉଁ ପାଠ୍ୟକ୍ରମରେ ଅଛି ? ଏହି ଘଟଣାର ନ୍ୟାୟିକ ତଦନ୍ତ ହେଉ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment