ଗଞ୍ଜାମରେ ଏଲ୍.ପି.ଜି. ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ମାମଲା; ଖାଉଟି ଆୟୋଗଙ୍କ ବଡ଼ ରାୟ, ଇଣ୍ଡିଆନ୍ ଅଏଲ୍ ଓ ବୀମା କମ୍ପାନୀକୁ ୪ ଲକ୍ଷ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।

ବ୍ରହ୍ମପୁର,୧୪/୧୧(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ଏଲ୍.ପି.ଜି. ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ତ୍ରୁଟିପୂର୍ଣ୍ଣ ସିଲିଣ୍ଡର ଯୋଗୁଁ ଘଟିଥିବା ଏହି ଦୁର୍ଘଟଣା ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL), ଗ୍ୟାସ୍ ଡିଷ୍ଟ୍ରିବୁଟର ଏବଂ ବୀମା କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତ ପରିବାରକୁ ମୋଟ ୪,୧୦,୦୦୦ (ଚାରି ଲକ୍ଷ ଦଶ ହଜାର) ଟଙ୍କା କ୍ଷତିପୂରଣ ସହ ସୁଧ ଏବଂ ବୀମା ରାଶି ପ୍ରଦାନ କରିବାକୁ କୁହାଯାଇଛି ।
ଘଟଣାର ପୃଷ୍ଠଭୂମି: ପ୍ରାପ୍ତ ତଥ୍ୟ ଅନୁଯାୟୀ, ସୋରଡ଼ା ସ୍ଥିତ କୃଷ୍ଣା ଲୀଳା ସାହିର ପି. ରବୀନ୍ଦ୍ର ପାତ୍ରଙ୍କ ଘରକୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ଅଧିକୃତ ଏଜେନ୍ସି ‘ପ୍ରିୟା ଇଣ୍ଡେନ୍ ସର୍ଭିସ୍’ (M/s Priya Indane Service) ଜରିଆରେ ଏକ ରୋଷେଇ ଗ୍ୟାସ୍ (LPG) ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । ଗତ ୨୦ ଅକ୍ଟୋବର ୨୦୨୦ ମସିହାରେ ମଧ୍ୟାନ୍ନ ପ୍ରାୟ ୧୨:୪୦ ସମୟରେ ରୋଷେଇ କରୁଥିବା ସମୟରେ ହଠାତ୍ ସେହି ସିଲିଣ୍ଡରଟି ପ୍ରଚଣ୍ଡ ଶବ୍ଦରେ ଫାଟି ଯାଇଥିଲା ।

ଏହି ଭୟଙ୍କର ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ରବୀନ୍ଦ୍ରଙ୍କ ରୋଷେଇଘର ସମେତ ସଂଲଗ୍ନ କୋଠା ଏବଂ ଘରେ ଥିବା ଫ୍ରିଜ୍, ଟିଭି, ୱାଟର ପ୍ୟୁରିଫାୟର, ବାସନକୁସନ ତଥା ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଥିଲା । ସବୁଠୁ ଦୁଃଖର କଥା ଯେ, ଏହି ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ପତ୍ନୀ ଏବଂ ସାନ ପୁଅ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରସ୍ଥିତ ଏମ୍କେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଆଇନଗତ ଲଢ଼େଇ ଓ ଖାଉଟି ଆୟୋଗଙ୍କ ରାୟ: ଏହି ଦୁର୍ଘଟଣା ପରେ ପୀଡ଼ିତ ପରିବାର ପକ୍ଷରୁ ସୋରଡ଼ା ଥାନାରେ ଏତଲା ଦିଆଯିବା ସହ ଅଗ୍ନିଶମ ବିଭାଗର ପ୍ରମାଣପତ୍ର ସଂଗ୍ରହ କରାଯାଇଥିଲା । ପରେ ୨୦୨୧ ମସିହାରେ ପି. ରବୀନ୍ଦ୍ର ପାତ୍ର ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗଙ୍କ କୋର୍ଟରେ ଏକ ମାମଲା (Consumer Complaint No. 70 of 2021) ଦାୟର କରିଥିଲେ ।
ଦୀର୍ଘ ଶୁଣାଣି ପରେ ଜିଲ୍ଲା ଖାଉଟି ଆୟୋଗର ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମେମ୍ବର ସରିତ୍ରୀ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ଆୟୋଗ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ, ଘରୋଇ ବ୍ୟବହାର ପାଇଁ ଯୋଗାଇ ଦିଆଯାଇଥିବା ସିଲିଣ୍ଡରର ଗୁଣବତ୍ତା ଏବଂ ସୁରକ୍ଷା ନେଇ ଉତ୍ପାଦନକାରୀ ସଂସ୍ଥା (IOCL) ଏବଂ ବିତରକ (ଡିଷ୍ଟ୍ରିବୁଟର) ସମ୍ପୂର୍ଣ୍ଣ ଦାୟୀ । ବଜାରକୁ ଛଡ଼ାଯାଉଥିବା ଏପରି ଜ୍ୱଳନ୍ତ ଓ ବିପଜ୍ଜନକ ପଦାର୍ଥ ପାଇଁ ସେମାନଙ୍କର ‘କଠୋର ଦାୟିତ୍ୱ’ (Strict Liability) ରହିଛି।
କ୍ଷତିପୂରଣ ଏବଂ ଆର୍ଥିକ ସହାୟତା ନିର୍ଦ୍ଦେଶ: ବୀମା କମ୍ପାନୀ (ICICI Lombard General Insurance Co. Ltd.) ପକ୍ଷରୁ ପୂର୍ବରୁ ୮୨,୬୧୦ ଟଙ୍କା ପୈଠ କରାଯାଇଥିବା ନେଇ ଦାବି କରାଯାଇଥିଲେ ହେଁ, ପୀଡ଼ିତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚରୁ ତାହା ମିଥ୍ୟା ଓ ପ୍ରମାଣହୀନ ବୋଲି ପ୍ରମାଣିତ ହୋଇଥିଲା । ତେଣୁ ଆୟୋଗ ନିମ୍ନୋକ୍ତ ମତେ କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତ,୧ – ଘରୋଇ ସମ୍ପତ୍ତି ଓ କୋଠାକ୍ଷତି ନିମନ୍ତ୍ର: ୨,୦୦,୦୦୦/- ଟଙ୍କା ।
୨- ଚିକିତ୍ସା ଓ ଯାତାୟାତ (Conveyance) ଖର୍ଚ୍ଚ: ୪୫,୦୦୦/- ଟଙ୍କା (୩୦୦୦୦ ଟଙ୍କା ମେଡିକାଲ ଏବଂ ୧୫,୦୦୦ ଟଙ୍କା ଟାକ୍ସି ଭଡ଼ା)।
୩-ଶାରୀରିକ ଯନ୍ତ୍ରଣା ଓ ମାନସିକ ଆଘାତ ନିମନ୍ତ୍ର: ୧,୫୦,୦୦୦/- ଟଙ୍କା ।
୪. ମାୋକଦ୍ଦମା ଖର୍ଚ୍ଚ: ୧୫,୦୦୦/- ଟଙ୍କା । ମୋଟ କ୍ଷତିପୂରଣ ରାଶି: ୪,୧୦,୦୦୦/- (ଚାରି ଲକ୍ଷ ଦଶ ହଜାର) ଟଙ୍କା।
ଏହି ସମସ୍ତ ଅର୍ଥରାଶି ଉପରେ ଦୁର୍ଘଟଣା ଘଟିଥିବା ଦିନଠାରୁ ତାରିଖଠାରୁ ବାର୍ଷିକ ୯% ସରଳ ସୁଧ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜନସ୍ୱାର୍ଥ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା: ଆୟୋଗ ଏହି ମାମଲାରେ କେବଳ କ୍ଷତିପୂରଣ ପ୍ରଦାନ କରି କ୍ଷ୍ୟାନ୍ତ ହୋଇନାହାଁନ୍ତି, ବରଂ ଭବିଷ୍ୟତରେ ଏଭଳି ଦୁର୍ଘଟଣା ଏଡ଼ାଇବା ପାଇଁ କିଛି ଜନହିତକର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଆଗାମୀ ୯୦ ଦିନ ଭିତରେ ସୋରଡ଼ାସ୍ଥିତ ଗ୍ୟାସ୍ ଏଜେନ୍ସିର ସୁରକ୍ଷା ଅଡ଼ିଟ୍ (Safety Audit) କରାଇବ ।

ଗ୍ରାହକମାନଙ୍କୁ ପ୍ରତିଥର ସିଲିଣ୍ଡର ପହଞ୍ଚାଇବା ସମୟରେ ରେଗୁଲେଟର ଫିଟିଂ ଏବଂ ଲିକେଜ୍ ଯାଞ୍ଚର ଡେମୋଷ୍ଟ୍ରେସନ୍ ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ସିଲିଣ୍ଡରଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷଣ କରାଯିବ ଯାହା ଦ୍ବାରା ସ୍ୱାଧୀନ ପରୀକ୍ଷା (Independent Testing) କରାଯାଇପାରିବ ।
ଏହି ରାୟ ପୀଡ଼ିତ ପରିବାରକୁ ନ୍ୟାୟ ଦେବା ସହିତ ଏଲ୍.ପି.ଜି. ଗ୍ୟାସ୍ ବିତରକ ଓ କମ୍ପାନୀଗୁଡ଼ିକର ଦାୟିତ୍ୱବୋଧକୁ ଆହୁରି ଦୃଢ଼ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Comments (0)
Add Comment