ବେଗୁନିଆପଡ଼ା ,୧୪/୧୧(ପିପିଟି): ଗାଁକୁ ଗାଁ ବୁଲୁଛି ଦନ୍ତାହାତୀ, ଉଜାଡ଼ୁଛି ଚାଷୀଙ୍କ ସୁନାର ଫସଲ। ହେଲେ ହାତୀ ଆତଙ୍କରୁ ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗର ଭୂମିକାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଗିଲିଣ୍ଡା, ବୋରିଆସାହି ଓ ଅଙ୍ଗାରଗାଁ ଆଦି ଅଞ୍ଚଳରେ ଏକ ଦନ୍ତାହାତୀ ଘୂରି ବୁଲୁଥିବା ଦେଖାଯାଇଛି। ହାତୀଟି ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଅନ୍ୟପଟେ ହାତୀ ଗାଁ ନିକଟରେ ବୁଲୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ନିଜର ଫସଲକୁ ସୁରକ୍ଷା ଦେବା ପାଇଁ ନୂଆଗଡ଼ ଗ୍ରାମର ଚାଷୀମାନେ ମିଳିତ ଭାବେ ରାତିରେ ଫସଲ ଜଗିବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏଭଳି ପରିସ୍ଥିତିରେ ବନ ବିଭାଗର ତତ୍ପରତା କେଉଁଠି। ହାତୀର ଗତିବିଧି ଉପରେ ନଜର ରଖିବା, ଲୋକଙ୍କୁ ସତର୍କ କରାଇବା ଏବଂ ଫସଲ କ୍ଷତି ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ କାହିଁକି ନିଆଯାଉନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।ଚାଷୀ ନିଜ ଫସଲ ବଞ୍ଚାଇବାକୁ ରାତି ଅନିଦ୍ରା ହେଉଥିବା ବେଳେ ବନ ବିଭାଗ କାହିଁକି ନିରବ। କୌଣସି ଅଘଟଣ ଘଟିବା ପରେ ବିଭାଗର ଚେତା ପଶିବ କି? ଏଭଳି ପ୍ରଶ୍ନ ଏବେ ଅଙ୍ଗାରଗାଁ ପଞ୍ଚାୟତବାସୀଙ୍କ ମନରେ ଉଙ୍କି ମାରୁଛି। ଏବେ ଦେଖିବାକୁ ବାକି ରହିଲା, ବନ ବିଭାଗ କେବେ ଚେତୁଛି । ଅଞ୍ଚଳବାସୀଙ୍କୁ ଏହି ହାତୀ ଆତଙ୍କରୁ କେବେ ଆଶ୍ୱସ୍ତି ମିଳୁଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ