ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ୧୫୫ତମ ଜୟନ୍ତୀ ପାଳିତ ।

କୋଦଳା,୧୦/୦୭(ପିପିଟି):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ସ୍ଥିତ ହରିହର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଟ ଶିକ୍ଷାନୁରାଗୀ, ସମାଜସେବୀ ଓ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ୧୫୫ତମ ଜୟନ୍ତୀ ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟର ସହ ପାଳିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଗୋପାଳ କୃଷ୍ଣ ମହାବିଦ୍ୟାଳୟ, ସୁବଳୟାର ଅଧ୍ୟାପିକା ଡ. ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ମୁଖ୍ୟବକ୍ତା ଏବଂ ବ୍ରହ୍ମପୁର ଡିଭିଜନାଲ ଫରେଷ୍ଟ ଅଫିସର ସନୀ ଗୋଖର ଓ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ଶ୍ରୀ ଦିବ୍ୟ ଶଙ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ବକ୍ତାମାନେ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ଜୀବନ, କାର୍ଯ୍ୟ ଓ ଓଡ଼ିଶା ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜା ହରିହର ମର୍ଦ୍ଦରାଜ ଦେଓ କେବଳ ଜଣେ ଦୂରଦର୍ଶୀ ଶାସକ ନୁହେଁ, ବରଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଅନ୍ୟତମ ପ୍ରେରଣାଦାତା ଥିଲେ। ତାଙ୍କ ପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱିତୀୟ ଜନ୍ମଦିବସ ଅବସରରେ ୧୩ ଜାନୁଆରୀ ୧୯୦୨ ରେ ରମ୍ଭା ରାଜପ୍ରାସାଦରେ ସେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ବ୍ୟାସକବି ଫକୀର ମୋହନ ସେନାପତି ଓ ଓଡ଼ିଶାର ବିଭିନ୍ନ ରାଜା-ମହାରାଜାଙ୍କୁ ଆମନ୍ତ୍ରଣ କରି ଏକ ଐତିହାସିକ ବୈଠକର ଆୟୋଜନ କରିଥିଲେ ।

ଏହି ବୈଠକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ମୂଳଦୁଆ ସ୍ଥାପନ କରିଥିଲା । ଇତିହାସ ବିଦ୍ମାନଙ୍କ ମତରେ, ରମ୍ଭାର ଏହି ବୈଠକ ହେଉଛି ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନର ପ୍ରଥମ ସଂଗଠିତ ରାଜନୈତିକ ପଦକ୍ଷେପ ଏବଂ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କୁ ଏହି ଆନ୍ଦୋଳନର ଅନ୍ୟତମ ପ୍ରମୁଖ ସ୍ଥପତି ଭାବେ ସମ୍ମାନ କରାଯାଏ ।

ବକ୍ତାମାନେ ଆହୁରି କହିଥିଲେ ଯେ, ରାଜା ହରିହର ମର୍ଦ୍ଦରାଜ ଦେଓ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାର, ଶିକ୍ଷାର ବିକାଶ, ସମ୍ବାଦପତ୍ର ପ୍ରକାଶନ ଏବଂ ସାମାଜିକ ସଚେତନତା ସୃଷ୍ଟି କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କ ପୃଷ୍ଠପୋଷକତା ଓ ଦୂରଦର୍ଶୀ ନେତୃତ୍ୱ ଓଡ଼ିଆ ଜାତିର ଐକ୍ୟବଦ୍ଧତାକୁ ସୁଦୃଢ଼ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନକୁ ନୂତନ ଦିଗ ଦେଇଥିଲା ।

ପୂଜ୍ୟପୂଜା ସାହିତ୍ୟ ସଂସଦର ସମ୍ପାଦକ ମହେଶ୍ୱର ବରାଡ଼ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜୟନ୍ତୀ ଅବସରରେ ସମସ୍ତ ଅତିଥି ବିଦ୍ୟାଳୟ ପରିସରରେ ୧୫୫ଟି ଚାରାରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶିକ୍ଷାନୁରାଗୀ, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Comments (0)
Add Comment