ମୌସୁମୀ ବାଟବଣା;ବର୍ଷା ଗାଏବ, ଶ୍ରାବଣରେ ବୈଶାଖର ତାତି, ଫାଟିଲା ଜମି, ଚାଷୀ ମୁଣ୍ଡରେ ଚଡକ,ମରୁଡି ଘୋଷଣା ଦାବି ।

କୋଦଳା,୧୧/୦୮(ପିପିଟି):ଶ୍ରାବଣ ରେ ବୈଶାଖର ତାତି । ବର୍ଷା ବଦଳ ରେ ଟାଇଁ ଟାଇଁ ଖରା । ସତେ ଯେମିତି ମୌସୁମି ବାଟବଣା ହୋଇ ଫେରାର ହୋଇଯାଇଛି । ବର୍ଷା ବାଟକୁ ଚାହିଁ ଚାହିଁ ଚାଷୀ ଆଜି ଚାତକ ପରି ଚାହିଁ ରହିଛି । ବର୍ଷାର ଆଗମନକୁ ଦେଖି ରଜ ପୂର୍ବରୁ କିଏ କେଉଁ ଠାରୁ ବିହନ ସଂଗ୍ରହ କରି ଜମି ରେ ତଳି ପକାଇ ଥିଲେ ।ମୌସୁମୀ ଆସିବା ପରେ ଦୁଇ ତିନି ଦିନ ବର୍ଷା ହୋଇ ବିହନ ଗଜା ବାହାରି ବର୍ଷା ବିହୁନେ ପାଳ ହୋଇଯାଇଥିଲା । ଯେମିତି ବି ହେଉ ଚାଷ କରିବା ଚିନ୍ତାକରି ପୁଣି ତଳିପକାଇବା ପରେ ପରେ ବର୍ଷାର ଆଗମନ ହୋଇଥିଲା । ଏହାର ସୁଯୋଗ ନେଇ କିଛି ପାଣି ଥିବା ଜମି ରେ ରୁଆ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଅନେକ ଜମି ଜଳ ବିହୁନେ ଶୁଖି ଟାଙ୍ଗରାଭୂଇଁ ପାଲଟି ଗଲାଣି । ଆଜିର ଦିନରେ ଜମି ଜଳାର୍ଣ୍ଣବ ହେବା ଜାଗାରେ ଖରା ର ଦଉରେ ଟାଙ୍ଗରା ପାଲଟି ମାଟି ଆଁ ହୋଇ ରହିଛି ।ରୁଆ ହୋଇନଥିବା ତଳି ଟିକୁ କିଛିଦିନ ବଞ୍ଚାଇବା ପାଇଁ ପାଣି ଟିକେ ମଡାଇବା ନିମନ୍ତେ ନାଳ, ନର୍ଦମା କେଉଁ ଠାରେ ବି ପାଣି ଟିକେ ମିଳୁନାହିଁ । ଯଦି ଆଉ ଗୋଟିଏ ସପ୍ତାହ ମଧ୍ୟରେ ବର୍ଷା ନ ହୁଏ ତଳି ସହିତ ରୁଆ ସାରିଥିବା ଜମି ଗୁଡିକ ନଷ୍ଟ ହୋଇଯିବ । ରୁଆ ଜମି ଫାଟି ଧାନ ଗଛ ପାଳ ହୋଇଗଲାଣି । ବର୍ତ୍ତମାନ କଣ କରିବେ ଚାଷୀ । କେମିତି ଶୁଝିବେ, ଋଣ କରି ଜମି ଉଠିଆ କରିବାକୁ ବିଭିନ୍ନ ସ୍ଥାନରୁ ଟଙ୍କା ଆଣି କାମରେ ଲଗାଇଛନ୍ତି ସେମାନେ । ବର୍ଷା ପାଇଁ ବିଭିନ୍ନ ପୂଜାର୍ଚନା ବି କରୁଛନ୍ତି । କୋଦଳା ଅଞ୍ଚଳ ଜମି ପାଇଁ କେବଳ ମାରୁଡିଘାଇ ଉପରେ ସମସ୍ତ ଚାଷୀଙ୍କ ଭରସା । ବର୍ତ୍ତମାନ ମାରୁଡିଘାଇ ବି ଶୁଖିଲା ପଡିଥିବାରୁ ସବୁ ହଜ, କେନାଲ ଟାଙ୍ଗରା ହୋଇ ପଡିଛି । ମୁଣ୍ଡରେ ହାତଦେଇ ବସିଛି କୃଷକ । ଏହି ସମୟ ରେ ଚାସିଙ୍କ ଦୁଃଖ ବୁଝିବାକୁ ଏକ ମାତ୍ର ଭଗବାନ ହିଁ ଭରସା, କଥାରେ ଅଛି ଜଳ ବିହୁନେ ସର୍ବନାଶ,ଜଳ ବହୁଳେ ସର୍ବନାଶ ଏହାକୁ ନେଇ ଆଜି ବେଗୁନିଆପଡା ବ୍ଳକ ବହୁ ପଞ୍ଚାୟତ ଚାଷୀ ମରୁଡି ଘୋଷଣା କରିବା ନେଇ ଶୁକ୍ରବାର କୋଦଳା ତହସିଲଦାର ଓ କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ରୁଷିକୂଲ୍ୟା ରୟତ ମହାସଭା ଗଞ୍ଜାମ ଶାଖାର ଚାଷୀ। ମାରୁଡି ଘାଇ ଅଧିନରେ ଥିବା ଅଞ୍ଚଳକୁ ମରୁଡି ଘୋଷଣା କରିବା ସହ ଚାଷୀଙ୍କ ଋଣ ସଂପୂର୍ଣ୍ଣ ଛାଡ କରିବା ପାଇଁ ଦାବି କରିଛନ୍ତି ଚାଷୀ।କୋଦଳା କ୍ଷୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀ ଗଙ୍ଗାରାମ ଟୁଡୁ ଓ କୋଦଳା ତହସିଲଦାର ସସ୍ମିତା ଶତପଥୀଙ୍କୁ ଏନେଇ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment