ମାଲକାନଗିରି ଗସ୍ତରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମୁଦ ଅହମ୍ମଦ: ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ସମୀକ୍ଷା।

ମାଲକାନଗିରି,୧୦/୦୭(ପିପିଟି):କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମୁଦ ଅହମ୍ମଦ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପୂର୍ବାହ୍ନରେ ଚିତ୍ରକୋଣ୍ଡା ଗସ୍ତ କରି ସେଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟ ଏବଂ ସେଣ୍ଟର ଫର ଏକ୍ସଲେନ୍ସ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଅନୁଧ୍ୟାନ କରିଥିଲେ। ଏହାପରେ ସେ ଗୋଜାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଲାଉଗୁଡ଼ାଠାରେ ଚାଲିଥିବା ଆଧୁନିକ ଡ୍ରାଗନ ଫ୍ରୁଟ୍ ଚାଷର ଅଗ୍ରଗତି ପରଖିଥିଲେ। ବଡ଼ପଦା ଶିକ୍ଷା ସଙ୍କୁଳ ପରିଦର୍ଶନ ସମୟରେ ସେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ପାଠପଢ଼ା, ସୁବିଧା ଓ ଅସୁବିଧା ବିଷୟରେ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ଏହା ସହିତ କାଲିମେଳା ବ୍ଲକର ଭେଙ୍କଟପାଲମଠାରେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଏବଂପଞ୍ଚାୟତ ପଲ୍ଲୀ ଉନ୍ନୟନ ମିଶନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ କେନ୍ଦ୍ରୀୟ ପ୍ରଭାରୀଙ୍କୁ ଉତ୍ତରୀୟ ଓ ବୃକ୍ଷ ଚାରା ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ।ଏହି ବୈଠକରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରାଜାରାମ ମଲ୍ଲିକ ଜିଲ୍ଲାର ୩ଟି ଆକାଂକ୍ଷୀ ବ୍ଲକ— ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ସମେତ ସମଗ୍ର ଜିଲ୍ଲାରେ ଚାଲିଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅହମ୍ମଦ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମୀଣ ଅଭିବୃଦ୍ଧି ଓ ଆର୍ଥିକ ଅନ୍ତର୍ଭୁକ୍ତ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ସମୀକ୍ଷା କରି ସମସ୍ତ ବିଭାଗକୁ ସେମାନଙ୍କର ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସ୍କୁଲଗୁଡ଼ିକରେ କାର୍ଯ୍ୟକ୍ଷମ ମହିଳା ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା, ଚାଷୀଙ୍କ ପାଇଁ ଫସଲ ବୀମା, ମାଣ୍ଡିଗୁଡ଼ିକୁ ଇ-ମାର୍କେଟ ସହ ସଂଯୋଗ, ଗ୍ରାମୀଣ ପକ୍କାଘର, ସଡ଼କ ସଂଯୋଗୀକରଣ ଏବଂ ପ୍ରଧାନମନ୍ତ୍ରୀ ଜନଧନ ଓ ମୁଦ୍ରା ଋଣ ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଅଧିକ ବ୍ୟାପକ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲାର ପ୍ରଗତି ସମ୍ପର୍କରେ ମତ ଦେଇ ଅତିରିକ୍ତ ସଚିବ ଅହମ୍ମଦ କହିଛନ୍ତି ଯେ, ମାଲକାନଗିରି ଜିଲ୍ଲା ସାମଗ୍ରିକ ପ୍ରଗତି ପଥରେ ଦ୍ରୁତ ଅଗ୍ରସର ହେଉଛି। ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଆର୍ଥିକ ଅନ୍ତର୍ଭୁକ୍ତ ଭଳି ପ୍ରମୁଖ ସୂଚକାଙ୍କଗୁଡ଼ିକରେ ଜିଲ୍ଲାର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି। ଜିଲ୍ଲାପାଳଙ୍କ ଦକ୍ଷ ନେତୃତ୍ୱରେ ପରିଚାଳିତ ପ୍ରଶାସନିକ ଟିମ୍ ସହାୟତାରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସଫଳ ରୂପାୟନ ହାସଲ କରିବା ସହ ଆଗାମୀ ୬ ମାସ ମଧ୍ୟରେ ସାମାଜିକ ଅର୍ଥନୀତିର ଅଭିବୃଦ୍ଧିକୁ ଆହୁରି ବେଗବାନ କରିବା ପାଇଁ ପ୍ରଶାସନ ସଂକଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।ଏହି ଉଚ୍ଚସ୍ତରୀୟ ବୈଠକରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ବନଖଣ୍ଡ ଅଧିକାରୀ ସାଇ କିରଣଙ୍କ ସମେତ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment