ମାଲକାନଗିରି, ୧୨/୦୭(ପିପିଟି):ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ମାଲକାନଗିରି ଜିଲ୍ଲା ଏକ ନୂତନ ଇତିହାସ ରଚନା କରିବାକୁ ଯାଉଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆ ସ୍ଥିତ ପ୍ରସିଦ୍ଧ ‘ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନ’ ର ମିଳିତ ସହଯୋଗରେ ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବ୍ୟାପକ ସମ୍ଭାବନାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଚଳିତ ଜୁଲାଇ ୧୧ ଓ ୧୨ ତାରିଖରେ ଦୁଇ ଦିନ ଧରି ଚାଲିଥିବା ଏହି ସର୍ଭେରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳର ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ସୂକ୍ଷ୍ମ ଅନୁଧ୍ୟାନ କରାଯାଇଛି। ଜାମ୍ମୁର ପ୍ରମୁଖ ଅତିଥି ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ନ୍ଵିସ୍ ବୈଷୟିକ ଅଧିକାରୀ ଜଗଦୀଶ ଭି.ଙ୍କୁ ନେଇ ଗଠିତ ଏହି ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍-ୱାଟର୍ ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳ-ଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପର ଭିତ୍ତିଭୂମି ଯାଞ୍ଚ କରିଛନ୍ତି।
ସର୍ଭେ କାର୍ଯ୍ୟ ଶେଷ କରିବା ପରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଜିଲ୍ଲାର ପ୍ରାକୃତିକ ସମ୍ପଦ ଏବଂ ଜଳକ୍ରୀଡ଼ାର ଭିତ୍ତିଭୂମିକୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅତିଥି ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ କହିଛନ୍ତି ଯେ, ମାଲକାନଗିରିର ଜଳାଶୟଗୁଡ଼ିକ କେବଳ ସୁନ୍ଦର ନୁହେଁ, ବରଂ ସାହସିକ ଜଳକ୍ରୀଡ଼ା ପାଇଁ ଏହା ଏକ ପ୍ରାକୃତିକ ଭେଟି। ବିଶେଷ କରି ଅପର ସାବେରୀ ଗର୍ଜ ଏବଂ ପୋଟେରୁ ହିଲ୍ ସେକ୍ସନର ଭୌଗୋଳିକ ଗଠନ ‘ହ୍ୱାଇଟ୍-ୱାଟର୍ ରାଫ୍ଟିଂ’ ପାଇଁ ଅତ୍ୟନ୍ତ ଅନୁକୂଳ ଏବଂ ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳ ପ୍ରବାହ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ନ୍ଵିସ୍ ଚେନ୍ନାଇର ବୈଷୟିକ ଅଧିକାରୀ ଶ୍ରୀ ଜଗଦୀଶ କହିଛନ୍ତି ଯେ, ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ସିଲେରୁ ଭ୍ୟାଲିର ବିସ୍ତୀର୍ଣ୍ଣ ଜଳରାଶି ‘କାୟାକିଂ’ ଓ ‘କାନୋଇଂ’ ପାଇଁ ସର୍ବୋତ୍କୃଷ୍ଟ। ଏଠାକାର ଶାନ୍ତ ଅଥଚ ରୋମାଞ୍ଚକର ପରିବେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ଏବଂ ଏଠାରେ ପରିବେଶର ସନ୍ତୁଳନ ରକ୍ଷା କରି ଏକ ସୁରକ୍ଷିତ ଏକୋ-ଟୁରିଜମ୍ ମଡେଲ୍ ପ୍ରସ୍ତୁତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଏହି ପ୍ରସ୍ତାବିତ ଜଳକ୍ରୀଡ଼ା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲା ତଥା ସମଗ୍ର ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଏକ ବଡ଼ ବୁଷ୍ଟର୍ ମିଳିବ। ଏହାଦ୍ୱାରା ମାଲକାନଗିରି ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ପାଲଟିବା ସହ ଦେଶ ଓ ବିଦେଶର ସାହସିକ କ୍ରୀଡ଼ାପ୍ରେମୀଙ୍କୁ ଆକୃଷ୍ଟ କରିବ। ପର୍ଯ୍ୟଟନର ଏହି ବିକାଶ ଦ୍ୱାରା ସ୍ଥାନୀୟ ଯୁବକଯୁବତୀମାନେ ଗାଇଡ୍, ଲାଇଫ୍ଗାର୍ଡ ଓ ଆତିଥେୟତା କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ପାଇବେ। ଏହାସହିତ ଜିଲ୍ଲାରେ ହୋଟେଲ, ପରିବହନ ଏବଂ ହସ୍ତଶିଳ୍ପ ବ୍ୟବସାୟ ବୃଦ୍ଧି ପାଇବା ସହ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ ଏବଂ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।ଏହି ସମଗ୍ର ସର୍ଭେ କାର୍ଯ୍ୟକ୍ରମକୁ ଅତି ସୂଚାରୁ ରୂପେ ସମ୍ପାଦନ କରିବା ପଛରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନିର୍ଦ୍ଦେଶନା ଓ ସକ୍ରିୟ ଭୂମିକା ରହିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ଟିମ୍କୁ ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଓ ବୈଷୟିକ ସହାୟତା ତତ୍କାଳ ଯୋଗାଇ ଦିଆଯାଇଥିଲା। ପ୍ରଶାସନର ଏଭଳି ସହଯୋଗ ଓ କାର୍ଯ୍ୟଦକ୍ଷତାକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡେପୁଟି କଲେକ୍ଟର ସ୍ୱୟଂ ସିଦ୍ଧ ରାଉତ ସମସ୍ତ ଦାୟିତ୍ଵ ଓ ପ୍ରଶାସନିକ ସମନ୍ୱୟ ରକ୍ଷା କରିଥିଲେ।ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ ବିଶେଷଜ୍ଞ ଦଳ ଚିତ୍ରକୋଣ୍ଡା ଇକୋ ପାର୍କ ସ୍ଥିତ ହ୍ରଦ, ସ୍ପ୍ଲିଲ ୱେ, ଗୁରୁପ୍ରିୟା ସେତୁ ନିକଟବର୍ତ୍ତୀ ଧନୁର୍ଯ୍ୟୟ ଗୁଡା ଏବଂ ଝୁଲା ବ୍ରିଜ୍ ଅଞ୍ଚଳ ଗସ୍ତ କରିଥିବା ବେଳେ ଫରେଷ୍ଟ ରେଞ୍ଜର ବଳରାମ ନାୟକ, ସତୀଗୁଡ଼ା ଇକୋ ପାର୍କ ମ୍ୟାନେଜର ଅବିନାଶ ମହାନ୍ତି ଓ ସ୍ଥାନୀୟ ସ୍ୱାଡ୍ ବୟ ସମ୍ପୂର୍ଣ୍ଣ ସହାୟତା କରିଥିଲେ। ସେହିପରି ଜୁଲାଇ ୧୨ ତାରିଖ ଦ୍ୱିତୀୟ ଦିନରେ ଟିମ୍ ପୋଟେରୁ ହିଲ୍ ସେକ୍ସନ, ସିଲେରୁ ଭ୍ୟାଲି ଓ ଅପର ସାବେରୀ ଗର୍ଜ ଭଳି ପ୍ରାକୃତିକ ଭେଟି ଥିବା ସ୍ଥାନଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଏହି ସମୟରେ କାଲିମେଳା ରେଞ୍ଜର ଓ ସ୍ଥାନୀୟ ସ୍ଵାଡ୍ ବୟ ସହାୟତା କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ନ୍ଵିସ୍ ବିଶେଷଜ୍ଞ ଦଳଙ୍କ ଏହି ୩ ସପ୍ତାହ ବ୍ୟାପୀ ବ୍ୟାପକ ସର୍ଭେ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହି ଦଳ ପ୍ରଦାନ କରିବାକୁ ଥିବା ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଆଗାମୀ ଦିନରେ ମାଲକାନଗିରିରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯିବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)