ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ : ଉଭୟ ପକ୍ଷରୁ ୪ଗିରଫ ।

ଭଞ୍ଜନଗର, ୨୩/୦୫(ପିପିଟି );ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଐତିହାସିକ ଠାକୁରାଣୀ ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ଶେଷ ହୋଇଛି।ଯାତ୍ରା ଚାଲିଥିବା ବେଳେ ଗତ ୧୭ତାରିଖ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା।ଏହାକୁ ନେଇ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଦୋଷୀଙ୍କ ବିରୁଦ୍ଧରେ ବୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ ୪ଟି କେଶ ରୁଜୁ ହୋଇଥିବା ବେଳେ ୨ ଗୋଷ୍ଠୀର ୪ଜଣ ଅଭିଯୁକ୍ତଙ୍କୁ ଭଞ୍ଜନଗର ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଭଞ୍ଜନଗର ଏନଏସି ରୋଡ଼ର ମହମ୍ମଦ ଇମ୍ରାନ (ଇମୁ ), ନାହାତୁଠ ସାହିର ଦୀପକ ମହାନ୍ତି, ତ୍ରିମୁର୍ତ୍ତି ସାହିର ଅରୁଣ ବେହେରା ଓ ଭେଜିପୁଟ ଆଡୁଆ ସାହିର ଯଶବନ୍ତ ସ୍ୱାଇଁ। ଗତ ୧୭ ତାରିଖ ରାତିରେ ଭଞ୍ଜନଗର ବସ ଷ୍ଟାଣ୍ଡରେ ମହମ୍ମଦ ଇମ୍ରାନ ଓରଫ ଇମୁ ଠିଆ ହେଇଥିବା ବେଳେ, ଦୀପକ ମହାନ୍ତି ଓରଫ ବଣ୍ଟି ଓ ତାର ସହଯୋଗୀମାନେ, ତାକୁ ସେଠାରେ ଦେଖି ଗାଳିଗୁଲଜ କରିବା ସହ ଠେଲା ପେଲା କରିଥିଲେ, ଯେହେତୁ ସେ ଏକା ଥିଲା, ସେମାନଙ୍କୁ ବିରୋଧ ନ କରି ସେଠାରୁ ଚାଲି ଯାଇଥିଲା । ପରେ ଇମୁ, ତାର ଜଣେ ସହଯୋଗୀକୁ ଧରି, ବଣ୍ଟିର ଘରକୁ ଯାଇ, ତାକୁ ଖୋଜିଲା ଏବଂ ସେଠାରେ ତାକୁ ଓ ତାର ପରିବାରକୁ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ସେଠାରେ ଇମୁ ଜାଣିବାକୁ ପାଇଥିଲା ଯେ, ବଣ୍ଟି ଏବେ ଭଞ୍ଜନଗର ମୁନିସିପାଲିଟି ଅଫିସରେ ଅଛି, ତେଣୁ ସେ ତାର ସହଯୋଗୀ ସହ ଯାଇ ସେଠାରେ ତାକୁ ଗାଳିଗୁଲଜ କରିବା ସହ ମାରଧର କଲା । ଇମୁ ଓ ତାର ସହ‌ଯୋଗୀ ଏନଏସିରେ ମାଡ଼ଗୋଳ କରୁଛନ୍ତି ଖବର ପାଇ ଅରୁଣ କୁମାର ବେହେରା ଓ ସେମାନଙ୍କର ସହଯୋଗୀ ସେଠାରେ ପହଞ୍ଚି ସେ ଦୁଇଜଣଙ୍କୁ ନିସ୍ତୁକ ମାଡ ମାରିଲେ । ପ୍ରାଣଭୟରେ ଇମୁ ତାର ମୋଟର ସାଇକେଲ ଓ ମୋବାଇଲ ସେଠାରେ ଛାଡିଦେଇ ଫେରାର ହେଇଗଲେ । କିନ୍ତୁ ଏ ଘଟଣାର କିଛି ସମୟ ପରେ, ବଣ୍ଟି, ଅରୁଣ ଓ ସେମାନଙ୍କ ସହ ପ୍ରାୟ ୧୫ ରୁ ୨୦ ଅସାମାଜିକ ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପ୍ରଥମେ ଇମୁର ଘରକୁ ଯାଇ ଭଙ୍ଗାରୁଜା କରିବା ସହ, ତାର ସ୍ତ୍ରୀକୁ ଖରାପ ବ୍ୟବହାର କରିଥିଲେ ଓ ଇମୁ କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତାପରେ ସେମାନେ ଅଶୋକ ପ୍ରଧାନର ଘରକୁ ଯାଇ ତାର କବାଟକୁ ଭାଙ୍ଗି ଘର ଭିତରେ ପଶି ସମସ୍ତ ଆସବାବ ପତ୍ର ନଷ୍ଟ କରିବା ସହ ଅଶୋକକୁ ଖୋଜିବା ପରେ ତାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ପଳେଇ ଯାଇଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀର ରିପୋର୍ଟ ଆଧାରରେ ଭଞ୍ଜନଗର ଥାନାରେ ଚାରି ଗୋଟି ମକଦ୍ଦମା ହେଇଥିବା ବେଳେ, ସେମାନଙ୍କ ଭିତରୁ ଚାରିଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏଥିସହ ଅନ୍ୟ ଅପରାଧୀ ଙ୍କ ସମେତ ଗୁରୁବାର ରାତିରେ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ବୋମା ମାଡ଼ କରିଥିବା ଦୁର୍ବୁତ୍ତ ଙ୍କୁ ମଧ୍ୟ ଶୀଘ୍ର ଗିରଫ ଜରାଯିବ ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment