ବନ୍ୟାଜଳ ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ, ସ୍ଥାନାନ୍ତର ହେଲେ ଦେବୀ ।

ଆଠଗଡ଼, ୨୮/୦୯: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୋମବାର ଭୋର ପ୍ରାୟ ୩ଟାରେ ଦେବୀଙ୍କୁ ଗର୍ଭଗୃହରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ମନ୍ଦିରର ରୋଷଘରକୁ ଅସ୍ଥାୟୀ ଭାବେ ନିଆଯାଇଛି। ବନ୍ୟା ସ୍ଥିତି ସତ୍ତ୍ୱେ ଦେବୀଙ୍କ ନୀତିକାନ୍ତି ଓ ପୂଜାବିଧି ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଜାରି ରହିଛି ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଆଠଗଡ଼ ଅଞ୍ଚଳର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଧବଳେଶ୍ୱର ପୀଠରେ ପ୍ରଶାସନ ପକ୍ଷରୁ ଧାରା ୧୬୩ ଜାରି କରାଯାଇଛି ଏବଂ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ମହାନଦୀ କୂଳରେ ଥିବା ଅନ୍ୟାନ୍ୟ ଧାର୍ମିକ ପୀଠକୁ ମଧ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସତର୍କତାମୂଳକ କଟକଣା ଲାଗୁ କରାଯାଇଛି। ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ନଦୀକୂଳକୁ ନଯିବାକୁ ପରାମର୍ଶ ଦେଇଛି।

Comments (0)
Add Comment