ବାଡ଼ି ଖାଲି ପଡ଼ିଛି, ହାଟ ଦର ବଢ଼ିଛି – ଆମେ କେବେ ବୁଝିବା ।

ବୋଲଗଡ଼,୧୨/୧୧ (ପିପିଟି): ସକାଳୁ ହାଟକୁ ଗଲେ ପ୍ରଥମ ଶୁଭେ ସେହି ଗୋଟିଏ ଆର୍ତ୍ତନାଦ “ଆରେ ବାବୁ, ପରିବା ଦର ଆକାଶ ଛୁଆଁ !”

ଟମାଟୋ ୮୦ ଟଙ୍କା, ପୋଟଳ ୧୦୦ ଟଙ୍କା,ବାଇଗଣ ୬୦ଟଙ୍କା। ଆମ ଭୃକୁଟି କୁଞ୍ଚିତ ହୁଏ, ଜିଭ ଗାଳି ଦିଏ, ଆଙ୍ଗୁଠି ସରକାରକୁ ଦୋଷ ଦେଇ ଫେସବୁକରେ ପୋଷ୍ଟ ଲେଖେ। ପରଦିନ ତାହା ଖବର କାଗଜରେ ପ୍ରକାଶ ପାଏ “ଦରବୃଦ୍ଧିରେ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।”
ହେଲେ ସତ କହିବାକୁ ଗଲେ, ଆମେ କେବେ ନିଜ ଆଡ଼କୁ ମୁହଁ ଫେରାଇଛୁ କି ? କେବେ ନିଜକୁ ପଚାରିଛୁ କି ମୋ ବାଡ଼ିରେ କ’ଣ ଅଛି ?

ଥରେ ଆଖି ବୁଜି ଭାବନ୍ତୁ। ଗାଁ ଗାଁରେ ଆମ ବାଡ଼ିଗୁଡ଼ିକର ଅବସ୍ଥା କ’ଣ ? ପଡ଼ିଆ ପଡ଼ିଛି, ଘାସ ମାଡ଼ିଛି, ଜଙ୍ଗଲ ହୋଇଯାଇଛି। ଯେଉଁ ବାଡ଼ିରେ କେବେ ବାଇଗଣ ଝୁଲୁଥିଲା, ଭେଣ୍ଡି ହସୁଥିଲା, ଲାଉ ଲତା,କଖାରୁ ଛାପର ଉପରେ ବାହୁ ମେଲାଇଥିଲା, ସଜନା ଛୁଇଁ ଡାଳରେ ସ୍ୱପ୍ନ ଦୋଳି ଖେଳୁଥିଲା, ଯେଉଁଠି ଧନିଆର ବାସ୍ନା, ଲଙ୍କାର ରାଗ ମିଶି ରୋଷେଇ ଘରକୁ ମହକାଉଥିଲା ଆଜି ସେଠି କେବଳ ଶୂନ୍ୟତା। ଶୂନ୍ୟତା ମାଟିର ନୁହେଁ, ଆମ ମନର।

ଆମେ ଅଳସୁଆ ହୋଇଗଲୁ । ପରିଶ୍ରମକୁ ଲାଜ କଲୁ। ମାଟି ସହ ସମ୍ପର୍କ ଛିଣ୍ଡିଗଲା। ବେକରେ ଚକଚକିଆ ବ୍ୟାଗ୍ ଧରି ବଜାରକୁ ଧାଉଁଛୁ, ପଲିଥିନରେ ବିଷ କିଣି ଆଣୁଛୁ, ପୁଣି ଦର ବଢ଼ିଛି ବୋଲି ଛାତି ପିଟୁଛୁ। ଏ କେଉଁ ପ୍ରକାର ସଭ୍ୟତା ? ଭାବନ୍ତୁ ତ, ଯଦି ପ୍ରତି ଘରର ପ୍ରତି ବାଡ଼ିରେ ଋତୁ ଅନୁଯାୟୀ ଟିକିଏ ଟିକିଏ ସବୁଜ ଫୁଟୁଥାନ୍ତା, ତେବେ କ’ଣ ହୁଅନ୍ତା ? ବଜାର ଉପରେ ଆମର ପରାଧୀନତା କମି ଯାଆନ୍ତା, ବିଷ ମୁକ୍ତ, ସତେଜ ପନିପରିବା ଆମ ପିଲାର ଥାଳିକୁ ଆସନ୍ତା,ଆମ ପିଲାମାନେ ମାଟି ଚିହ୍ନନ୍ତେ, ମାଟିକୁ ଭଲ ପାଆନ୍ତେ,ଆଉ ଆମ ମା’ ଭଉଣୀମାନଙ୍କ ଆଞ୍ଚଳର ଗଣ୍ଠିରେ ଦୁଇ ପଇସା ବଞ୍ଚି ରହନ୍ତା। ଏହା କେବଳ ପରିବା କଥା ନୁହେଁ , ଏହା ଆତ୍ମନିର୍ଭରତାର କଥା। ଏହା ସ୍ୱାଭିମାନର କଥା। ଆମ ଜେଜେ ଅଜା କହୁଥିଲେ – “ବାଡ଼ି ଥିଲେ ହାଣ୍ଡି ଚଢ଼େ”। କେତେ ଗଭୀର ଜୀବନ ଦର୍ଶନ ଥିଲା ସେହି ଗୋଟିଏ ଧାଡ଼ିରେ। ଆଜି ଆମେ ସେହି ହାଣ୍ଡି ଚଢ଼ିବାର ବିଦ୍ୟାକୁ ହିଁ ଭୁଲିଗଲୁ। ତେଣୁ ଆସନ୍ତୁ, ଆଜି ଠାରୁ ଏକ ନୂଆ ପ୍ରତିଜ୍ଞା କରିବା।
ଫେସବୁକରେ ଦରଦାମ ନେଇ ଅଭିଯୋଗର ପୋଷ୍ଟ ଲେଖିବା ଅପେକ୍ଷା, ନିଜ ବାଡ଼ିରେ ଗୋଟିଏ ମଞ୍ଜି ପୋତିବା। ଗୋଟିଏ ଲାଉ ଗଛ, ଗୋଟିଏ ଲଙ୍କା, ମୁଠେ ଧନିଆ, ଚାରି ଧାଡ଼ି ଶାଗ, ଦୁଇଟା ଭେଣ୍ଡି, ଧାଡ଼ିଏ ମକା – ଏହି ଛୋଟ ଆରମ୍ଭରୁ ହିଁ ଏକ ବଡ଼ ପରିବର୍ତ୍ତନ ଆରମ୍ଭ ହେବ।
ବାଡ଼ି ବଗିଚା ଫଳାଅ, ବଜାର ଉପରେ ରାଗ କମାଅ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Comments (0)
Add Comment